ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ : ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁର ମନ୍ଦିରରେ ୧୪୪ ଧାରା ଜାରି,ଭୁବନେଶ୍ୱରରେ ପଣା ବଣ୍ଟନ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ପଣା ବଣ୍ଟା ଯାଇପାରିବନି ବୋଲି ବିଏମସି ପକ୍ଷରୁ ଗାଇଡଲାନ୍ ଜାରି କରାଯାଇଛି । କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଅନୁଯାୟୀ ସେବାୟତ ବା ପୂଜକମାନେ ପୂଜା କରିପାରିବେ ତେବେ ଭକ୍ତଙ୍କୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ସେପଟେ ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ୍ ହାଉସ ପାଖ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ପବନ ସୂତ ହନୁମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଓଡ଼ିଆ ଭାଇ ଭଉଣୀଙ୍କୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି  ମାନସ । ୧୫ ଟନ୍ ବାଲିରେ ୧୫ ଫୁଟ୍ ଚଉଡ଼ାର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଓଡ଼ିଆମାନଙ୍କର ନବ ବର୍ଷ ରୂପେ ପରିଚିତ । ଏହି ଦିବସ ହନୁମାନ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । ସାରା ପୃଥିବୀରୁ କରୋନା ରୂପି ରାକ୍ଷସକୁ ସମୂଳେ ନାଶ କରିବା ପାଇଁ ମାନସ ଏଥିରେ ବାର୍ତ୍ତା ଦେଇଛନ୍ତି ।

ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ସକାଳଧୂପ ପରେ ପରମ୍ପରା ରୀତି ନୀତିରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ । ବିମାନରେ ହନୁମାନ ବିଜେ ହୋଇ ୪ ଦ୍ୱାରରେ ପୂଜା ପାଉଥିବା ହନୁମାନଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଏବଂ ଦରିଆ ମହାବୀର ଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଏ । ଜାଗା ଅଖଡାରେ କୁସ୍ତି କସରତ କରାଯାଏ । ଯୁବକ ମାନେ ନୂତନ ବସ୍ତ୍ର ପରିଧାନ କରି ମହାବୀରଙ୍କ ନିକଟରେ ପୂଜା କରି ଆଜି କସରତ କରିଥାନ୍ତି  ।

ସେପଟେ ଆଜି ଘରେ ଘରେ ପଣା, ଛତୁଆ ଭୋଗ କରାଯାଏ । ବିଭିନ୍ନ ଜାଗା ଅଖାଡାରେ ହନୁମାନଙ୍କୁ କ୍ଷୀର, ଛେନା, କଦଳୀ, ଚିନି, ସର, ଅଳେଇଚ, ଗୁଜୁରାତିରେ ପ୍ରସ୍ତୁତ ପଣା ଏବଂ ଛତୁଆ ଆଦି ଭୋଗ କରାଯାଇ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥାଏ, ଯାହାକି ଶ୍ରୀକ୍ଷେତ୍ରର ନିଆର ପରମ୍ପରା । ଅନ୍ୟପଟେ ଆଜି ଓଡ଼ିଆ ନବବର୍ଷ ଉପଲକ୍ଷେ ନୂଆ ପଞ୍ଜିକା ପ୍ରଚଳନ କରାଯାଇଥାଏ । ପଞ୍ଜିକାରେ ତିଥି, ବାର, ପର୍ବପର୍ବାଣି, ଯାନିଯାତ୍ରା, ଶୁଭକର୍ମ, ଅଶୁଭ କର୍ମ ଆଦି ଲିପିବଦ୍ଧ କରାଯାଇଛି  ।ଏଥିରେ ସୂଯେର୍ୟାଦୟ, ସୂଯର୍ୟାସ୍ତ, ତିଥି ନକ୍ଷତ୍ର ସମ୍ପର୍କରେ ନିର୍ଭୁଲ ତଥ୍ୟ ରହିଥାଏ ।

You might also like