ଖଜୁରୀ ରସ ପିଇବାକୁ ଜମୁଛି ପ୍ରବଳ ଭିଡ଼

ଦେହ ଥଣ୍ଡା କରେ ଖଜୁରୀ ରସ?

ଗୁଣୁପୁରରୁ(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଉଦୁଉଦିଡ଼ ଖରାରୁ ଆଶ୍ୱସ୍ତି ଦେଉଛି ଖଜୁରୀ ରସ। ସକାଳୁ ସକାଳୁ ମୁନ୍ଦେ ଖଜୁରୀ ରସ ପିଇଦେଲେ ଆତ୍ମାକୁ ଯେମିତି ଶାନ୍ତି ମିଳିଯାଉଛି। ରାୟଗଡା ଜିଲ୍ଲା ଗୁଣପୁରରେ ଖଜୁରୀ ରସ ପିଇବାକୁ ଲୋକଙ୍କ ଭିଡ ଜମୁଛି। ସଉରା ଆଦିବାସୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଏହି ରସ ପିଇବାକୁ ଅନ୍ୟ ଲୋକମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି।

ଖଜୁରୀ ଗଛରେ ଛୋଟ ହାଣ୍ଡି ବାନ୍ଧି ସଂଗ୍ରହ ହେଉଛି ରସ। ଖରା ମାସ ଆସିଲେ ଆଦିବାସୀ ବହୁଳ ଅଞ୍ଚଳରେ ଦେଖିବାକୁ ମିଳେ ଏଭଳି କିଛି ଦୃଶ୍ୟ। ଖଜୁରୀ ରସ ପିଇଲେ ପେଟ ଥଣ୍ଡା ରହିବା ସହ ମନ ଫୂର୍ତ୍ତି ହୋଇଥାଏ ବୋଲି ଆଦିବାସୀଙ୍କ ବିଶ୍ୱାସ ରହିଛି। ତେଣୁ ଗ୍ରୀଷ୍ମ ଋତୁ ଛୁଇଁବା ମାତ୍ରକେ ରାୟଗ଼ଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଖଜୁରୀ ଗଛଗୁ଼ଡିକରୁ ଆରମ୍ଭ ହୋଇଯାଏ ରସ ସଂଗ୍ରହ। ଗଛର ଅଗକୁ ଡାଳ ମୂଳରେ ସାମାନ୍ୟ କାଟି ଦେଇ ହାଣ୍ଡି ଲମ୍ବାଇ ଦେଲେ ଆପେ ଆପେ ଖଜୁରୀ ରସ ଝରି ପଡିଥାଏ। ଦିନକୁ ଗୋଟିଏ ଗଛରୁ ଅତି କମରେ ୧ ଲିଟର ଫେଣ ଭର୍ତ୍ତି ରସ ସଂଗ୍ରହ ହୁଏ। ଆଉ ଏହାକୁ କିଣି ନେଇ ବ୍ୟବସାୟୀମାନେ ଗ୍ଲାସ ପିଛା ୧୦ ଟଙ୍କା ଲେଖାଏ ବିକିଥାନ୍ତି।

ତେବେ ଖଜୁରୀ ରସ ସଂଗ୍ରହ କରୁଥିବା ବ୍ୟକ୍ତି କହନ୍ତି, ଏହି ରସ ଦେହକୁ ଥଣ୍ଡା ରଖେ। ରସ ପିଉ ପିଉ ମାତ୍ର ଗୋଟିଏ ମିନିଟ୍‌ରେ ଦେହ ଥଣ୍ଡା ହୋଇଯିବ। କେବଳ ପେଟ କି ଦେହ ଥଣ୍ଡା ନୁହେଁ ବରଂ ଏହି ରସରେ ଅନେକ ଔଷଧୀୟ ଗୁଣ ଥିବା ସେମାନେ କହନ୍ତି। ଏହାସହ ସ୍ଥାନୀୟ ଲୋକମାନେ କହିଛନ୍ତି, ଏହି ରସ ପିଇବା ମାତ୍ରେ ଦେହ ସାଙ୍ଗେ ସାଙ୍ଗେ ଥଣ୍ଡା ହୋଇଯାଏ। ଏମିତି ରସ ପିଇଲେ ହଳିଦିଆ କାଆଁଳ ମଧ୍ୟ ହେବ ନାହିଁ। ତେଣୁ ଖଜୁରୀ ରସ ପାଖରେ ପ୍ରବଳ ଭିଡ଼ ଜମୁଛି। ଏବେ ନୁହେଁ ବରଂ ପିଲାଦିନରୁ ହିଁ ଏହି ରସ ପିଉଛୁ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ୧୦ ରୁ ୧୫ ଟି ଗଛରୁ ଦୈନିକ ରସ ସଂଗ୍ରହ କଲେ ୫୦୦ ଟଙ୍କା ମିଳିଯାଉଛି। ତେଣୁ ରସ ସଂଗ୍ରହକୁ ଜୋରଦାର କରୁଛନ୍ତି ସ୍ଥାନୀୟ ଲୋକେ।

କେବଳ ଖଜୁରୀ ରସ ନୁହେଁ ଏହି ଅଞ୍ଚଳରେ ସଲଫ ରସ ମଧ୍ୟ ମିଳେ। ଗୁଣପୁରରେ ରହୁଥିବା ସଉରା ଆଦିବାସୀ ମାନେ ଅଧିକ ମାତ୍ରାରେ ଏହି ରସ ପିଇଥାନ୍ତି। ଏଥିପାଇଁ ସେମାନେ ଗଛରେ ମାଲିକାନା ଜାହିର କରି ଖଜୁରୀ ରସ ସଂଗ୍ରହ କରିଥାନ୍ତି। ସୂର୍ଯ୍ୟ ଉଇଁବା ଆଗରୁ ଖଜୁରୀ ରସ ପିଇଲେ ଦେହ ପାଇଁ ହିତ ବୋଲି ମତ ଦିଅନ୍ତି ସ୍ଥାନୀୟ ବାସିନ୍ଦା।

,,,,,,,,,,,,,,,,,,,,

You might also like