ବିଧାୟକଙ୍କ ଘରେ ପଶି ବିବାହ ପାଇଁ ଜିଦ୍‌ ଧରିଲେ ଯୁବତୀ

ଅନୁଗୁଳ(ବିରଜା ଦାସ): ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଘରେ ପଶି ଜଣେ ଯୁବତୀ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ବିଧାୟକଙ୍କ ପାଲଲହଡ଼ା ବାଲିପଶି ସ୍ଥିତ ଘରେ ପଶି ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ। ଏନେଇ ନିଜେ ବିଧାୟକ ପାଲଲହଡା ଥାନାରେ ଏତଲା ଦେଇଛନ୍ତି।

ପୋଲିସ୍‌ ବିଧାୟକଙ୍କ ବାସଭବନରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ୨୫ ତାରିଖ ବିଳମ୍ବିତ ରାତିରେ ଥାନାକୁ ଆଣି କେନ୍ଦୁଝରରେ ଛାଡ଼ିଥିବା ସୂଚନା ମିଳିଛି। ଯୁବତୀ ଜଣକ ମୟୁରଭଞ୍ଜ ଅଞ୍ଚଳର ବୋଲି ଏତଲାରେ ଦର୍ଶାଇଛନ୍ତି ବିଧାୟକ ମୁକେଶ। ବିଧାୟକ ନିଜ ବିଧାନସଭା କ୍ଷେତ୍ର ଖମାର ଅଞ୍ଚଳରେ ୨୫ ତାରିଖ ଦିନ ମିଟିଂକୁ ଯାଇଥିବାବେଳେ କେନ୍ଦୁଝରରେ ରହି ଆସୁଥିବା ଏହି ଯୁବତୀ ଜଣକ ବିଧାୟକଙ୍କ ବାଲିପଶି ବାସଭବନରେ ଦିନ ପ୍ରାୟ ୩ଟାରେ ଏକୁଟିଆ ପହଞ୍ଚିଥିଲେ। ଏହାପରେ ଯୁବତୀ ଜଣକ ମୁକେଶଙ୍କୁ ବାହା ହେବାକୁ ଜିଦ୍‌ ଧରିଥିଲେ।

ବିଧାୟକଙ୍କ ଏତଲା ଅନୁଯାୟୀ, ବର୍ଷେ ପୂର୍ବରୁ କେହି ଜଣେ ମଧ୍ୟସ୍ଥି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ତା’ପରେ ଯୁବତୀ ଜଣଙ୍କ ତାଙ୍କୁ ଫୋନ କରିବା ପରେ ବିଧାୟକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାସେ ଦୁଇ ମାସ ଫୋନରେ କଥାବାର୍ତ୍ତା, ସୋସିଆଲ ମିଡିଆରେ ଚାଟିଂ ଭିତରେ ଯୁବତୀଙ୍କ ଆଚରଣ ଓ ଧମକପୂର୍ଣ କଥାବାର୍ତ୍ତା ଅସହ୍ୟ କରିଥିଲା ବୋଲି ବିଧାୟକ କହିଛନ୍ତି। ତା’ପରେ ଯୁବତୀ ଜଣଙ୍କୁ ବିବାହ ପାଇଁ ସେ ମନା କରି ଦେଇଥିଲେ। ଏହାପରେ ଯୁବତୀ ଜଣକ ବିଧାୟକଙ୍କୁ ବ୍ଲାକ୍‌ମେଲିଂ କରିବା ସହ ମିଛ କେସ୍‌ରେ ଫସାଇଦେବି ବୋଲି ଧମକ ଦେଇଥିଲେ ଏବଂ ଘରେ ପହଞ୍ଚି ବିବାହ ପାଇଁ ଜିଦ୍ ଧରିଥିଲେ।

 

You might also like