ମଇଁଷି ଗୁହାଳେ ବିତୁଛି ପାଲା ଗାୟକଙ୍କ ଜୀବନ

ଅସହାୟ ପାଲା ଗାୟକ

  • ସରକାରୀ ଯୋଜନାରୁ ବଞ୍ଚିତ ପାଲା ଗାୟକ ନିଳାଦ୍ରୀ ମଲିକ୍
  • ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ
  • ସ୍ୱଚ୍ଛ ଯୋଜନାରେ ମିଳିଥିବା ଅବ୍ୟବହୃତ ପାଇଖାନା ଘରେ ଠାକୁର ପୂଜା
  • କନ୍ଧମାଳ ଖଜୁରୀପଡ଼ା ପୁରୁଣାପାଣି ଗଡ଼ପକ୍ଷୀ ଗାଁର ଘଟଣା

କନ୍ଧମାଳ(ତ୍ରିନାଥ ସାହୁ): ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ପାଲା ଗାୟକ ନିଳାଦ୍ରି ମଲିକ୍। ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ। ଯିଏ ଦିନେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରୁଥିଲେ ଆଜି ସେ ନିଜେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କନ୍ଧମାଳ ଖଜୁରୀପଡ଼ା ଗଡ଼ପକ୍ଷୀ ଗାଁରୁ ଦେଖନ୍ତୁ ଏହି ରିପୋର୍ଟ।

ମଇଁଷି ଗୁହାଳେ ରହୁଛି ମଣିଷ। ପାଇଖାନା ଘରେ ରହୁଛନ୍ତି ଠାକୁର। ନିଜ ମୁଣ୍ଡ ଉପରେ ଛାତ ନାହିଁ, କିନ୍ତୁ ଠାକୁରଙ୍କୁ ରଖିଛନ୍ତି ଛାତ ତଳେ। କିଛି ଏଭଳି ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି କନ୍ଧମାଳ ଖଜୁରୀପଡ଼ା ପୁରୁଣାପାଣି ଗଡ଼ପକ୍ଷୀ ଗାଁର ପାଲା ଗାୟକ ନୀଳାଦ୍ରି ମଲ୍ଲିକ। ନିଜେ ମଇଁଷି ଗୁହାଳେ ରହୁଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ଦୁଇ ହାତର ଅବ୍ୟବହୃତ ପାଇଖାନା ଘରେ ଠାକୁରଙ୍କୁ ରଖି ପୂଜା କରୁଛନ୍ତି। ଗୁହାଳର ଚାରି କାନ୍ଥ ଭିତରୁ ଦୁଇ କାନ୍ଥ ଭାଙ୍ଗି ଯାଇଥିବା ବେଳେ ଛପର ବି ଅଧା ଉଡ଼ି ଗଲାଣି। ମାତ୍ର କହିବେ ବା କାହାକୁ? ପକ୍କା ଘର କି ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

ସେପଟେ ପାଲା ଗାୟକ ଅଭିଯୋଗ କରି କହିଛନ୍ତି ଯେ, ବାତ୍ୟାରେ ଘର ସବୁ ଭାଙ୍ଗିଗଲା । ଏହାରି ମଧ୍ୟରେ ୪ ଜଣ ସରପଂଚ ଗଲେଣି କିନ୍ତୁ କେହି ଶୁଣୁନାହାନ୍ତି। ସମସ୍ତଙ୍କୁ ଦରଖାସ୍ତ ଦେଇ ଦେଇ ଆମେ ଥକି ପଡିଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ବାର୍ଧକ୍ୟ ଭତ୍ତା ମଧ୍ୟ ମିଳିନଥିବା ସେ କହିଛନ୍ତି। ଚଳିବାରେ ବହୁ ଅସୁବିଧା ହେଉଛି କିନ୍ତୁ କେହି ଶୁଣୁନାହାନ୍ତି। ସରକାରୀ ଯୋଜନା କେବେ ମିଳିବ ତାହାର ଉତ୍ତର କେହି ଦେଉନଥିବା ନୀଳାଦ୍ରୀ କହିଛନ୍ତି।

ସ୍ତ୍ରୀ, ପୁଅ-ଝିଅଙ୍କୁ ଧରି ମଇଁଷି ଗୁହାଳେ ରହୁଛନ୍ତି ନୀଳାଦ୍ରି। ଜୀବନବ୍ୟାପୀ ସେ ପାଲା ମାଧ୍ୟମରେ ଅନେକ ସରକାରୀ ଯୋଜନାର ପ୍ରଚାର ପ୍ରସାର ମଧ୍ୟ କରିଛନ୍ତି। ଏଥିଲାଗି ବହୁ ମାନପତ୍ର ବି ମିଳିଛି ତାଙ୍କୁ। ମାତ୍ର ଆଜି ସେ ନିଜେ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କେବଲ ଚାଉଳ ଗଣ୍ଡାକ ଛଡ଼ା ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ସେ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ନୀଳାଦ୍ରିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

 

You might also like