ପାକିସ୍ତାନରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଓଡ଼ିଶା ଫେରିଥିବା ବିର୍ଜୁ କୁଲୁ ନିଖୋଜ
ରାଉରକେଲା: ପାକିସ୍ତାନ ଜେଲ୍ରୁ ଫେରିଥିବା ବିର୍ଜୁ କୁଲୁ ନିଖୋଜ ହୋଇଥିବା ଖବର ମିଳିଛି। ଗତକାଲି ରାତିରୁ ବିର୍ଜୁ କୁଲୁଙ୍କ କୌଣସି ପତ୍ତା ମିଳୁନି। ବିର୍ଜୁଙ୍କ ନିଖୋଜ ନେଇ କୁତ୍ରା ଥାନାରେ ଏତଲା ଦେଇଛନ୍ତି ବିର୍ଜୁଙ୍କ ଭଉଣୀ।
ବିର୍ଜୁ କୁଲୁଙ୍କ ନିଖୋଜ ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍ପି। ସେ କହିଛନ୍ତି ଯେ ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଆଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମଧ୍ୟ ଖବର ଦିଆଯାଇଛି। ବିର୍ଜୁ ନଭେମ୍ବରରେ ପାକିସ୍ତାନ ଲାହୋର ଜେଲ୍ରୁ ଫେରିଥିଲେ।
ପାକିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ନଭେମ୍ବର ୧୨ ତାରିଖରେ ଭିଟାମାଟିକୁ ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ।
ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯାଇଥିଲା। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିଥିଲେ। ତା ପର ଦିନ ନଭେମ୍ବର ୧୩ ତାରିଖ ସକାଳେ ଏକ ଶୋଭାଯାତ୍ରାରେ ବିର୍ଜୁଙ୍କୁ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗକୁ ନିଆଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ସୂଚନା ଅନୁସାରେ,୨୫ ବର୍ଷ ପୂର୍ବରୁ ବିର୍ଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ତେବେ ମାନସିକ ଅନଗ୍ରସର ଥିବା କାରଣରୁ ସେ ପାକିସ୍ତାନ ସୀମା ପାର କରି ଯାଇଥିବା କୁହାଯାଇଥିଲା। ତାଙ୍କୁ ପାକିସ୍ତାନ ପୋଲିସ ଗିରଫ କରିବା ପରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ ସେ।
ଲାହୋର ଜେଲ୍ରେ ୨୦ ବର୍ଷ ରହିବା ପରେ ୨୦୨୦ ଅକ୍ଟୋବର ୨୬ ତାରିଖରେ ଜେଲ୍ରୁ ମୁକୁଳିଥିଲେ। ବିର୍ଜୁ ଗତ ୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିର୍ଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତାଙ୍କୁ ଧରି ଏକ ସ୍ୱତନ୍ତ୍ର ଗାଡ଼ିରେ ସୁନ୍ଦରଗଡ଼ ଆସିଥିଲା। ବିର୍ଜୁଙ୍କ ବାପା-ମାଆ ନଥିବା ବେଳେ ଏକମାତ୍ର ଭଉଣୀ ଏବେ ରାଜଗାଙ୍ଗପୁରର କୁକୁଡ଼ା ଗାଁରେ ରହୁଛନ୍ତି।