ଆଜି ପଖାଳ ଦିବସ : ଶାଗ ପଖାଳରେ ପୂରେ ଓଡ଼ିଆଙ୍କ ପେଟ

ଯିଏ ପଖାଳ ଖାଇନି, ସିଏ କି ଓଡ଼ିଆ ?

ଭୁବନେଶ୍ୱର:  ଓଡ଼ିଆ ଜାତିର ଗର୍ବ ପଖାଳ।  ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ପଖାଳ ।  ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି।  ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି । ସେ ଶାନ୍ତି  ବୋଧହୁଏ ଦେବତାଙ୍କ ଅମୃତ ହାଣ୍ଡିରେ ବି ନଥିବ । ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ ଯୁଆଡ଼େ ଥିଲେ ବି ପଖାଳ ଯେପରି ହାତ ଠାରି ଡାକୁଛି।

ପଖାଳ ଓଡ଼ିଆ ମାନଙ୍କର ଗର୍ବ ଐତିହ୍ୟ ଓ ଅମୃତ ସଦୃଶ । ମାଟି ହାଣ୍ଡିରେ ମହମହ ବାସୁଥିବା ପଖାଳର ମଜା ନେବା ନିଆରା। ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟଲେ ସବୁଠି ପଖାଳର ଚାହିଦା। ପଖାଳ ଆଗରେ ବଡ଼ ବଡ଼ ରେଷ୍ଟୁରାଣ୍ଟର ମହଙ୍ଗା ଡିସ ମଧ୍ୟ ଫିକା ।  ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ।  ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ। ପଖାଳ ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଆଦି ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଆପେ ଆପେ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….। ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।  ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି। ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଜୀରା ପଖାଳ, ବାସି ପଖାଳ, ସଜ୍ଜ ପଖାଳ ପ୍ରଭୁତି ପସ୍ତୁତ କରାଯାଉଛି। ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

କେବଳ ଓଡ଼ିଶା ରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

You might also like