ଭୁବନେଶ୍ୱର : ଆଜି ପହିଲି ରଜ । ଓଡିଆ ପରିବାରର ବଡ଼ ପର୍ବ । ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା । କେଉଁଠି ବି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି । କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ । କରୋନା ପାଇଁ ଘରେ ଘରେ ଚାଲିଛି ଉତ୍ସବ । ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି ।

କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ଯେତିକି ସମ୍ଭବ ସେତିକି ପାଳିବାକୁ ଉଦ୍ୟମ ଜାରି ରଖିଛନ୍ତି । ଦୋଳି ଖେଳ ସାଙ୍ଗକୁ ଘର ପିଣ୍ଢାରେ ତାସ, ଲୁଡୁର ଆସର କରିବାକୁ ପ୍ରସ୍ତୁତ ହେଉଛନ୍ତି ଝିଅମାନେ । ଗାଁଠୁ ସହର ସବୁଠି ପିଠାପଣାର ମହକ । କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ରଜ ପାଇଁ ସଜବାଜ ଆରମ୍ଭ ହୋଇଛି । କୁନି କୁନି ପିଲା ପାଦରେ ଅଳତା, ମୁହଁରେ କୁଙ୍କୁମ ଲଗେଇ ନୂଆ ଡ୍ରେସ ପିନ୍ଧି ସଜ ହୋଇଛନ୍ତି ।

ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସୁଧା, ପ୍ରକୃତି ଓ ନାରୀ ମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା ବୋଲି ଟୁଇଟ୍ କରି ନବୀନ ଲେଖିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି ଶୁଭେଚ୍ଛା ।

Other Stories