ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସବୁ DCHC ଏବଂ DCHରେ ୧୫ ପ୍ରତିଶତ ବେଡ୍ରେ ଏହି ପେଡିଆଟ୍ରିକ୍ କୋଭିଡ୍ ଉଇଙ୍ଗ ଗଠନ କରିବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ମାନଙ୍କ ଲାଗି HDU ଏବଂ ICU ସୁବିଧା ସଂରକ୍ଷଣ ରଖତ୍ବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ସ୍ୱତନ୍ତ୍ର ଉଇଙ୍ଗରେ ଆବଶ୍ୟକସ୍ଥଳେ ଶିଶୁ ରୋଗୀ ସହ କେବଳ ବାପା କିମ୍ବା ମାଙ୍କୁ ରହିବା ପାଇଁ ଅନୁମତି ଦିଆଯିବ। ପେଡିଆଟ୍ରିକ୍ କୋଭିଡ୍ ଉଇଙ୍ଗ ପାଇଁ ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ କଟକ ଶିଶୁଭବନ। ତାସହ ରାଜ୍ୟର ଶିଶୁରୋଗ ଚିକିତ୍ସକ ମାନଙ୍କୁ ଶିଶୁଭବନ ପକ୍ଷରୁ ବୈଷୟିକ ସହାୟତା ପ୍ରଦାନ କରାଯିବ।

କରୋନା କବଳରେ କୋମଳମତି ଶିଶୁ ଦ୍ୱିତୀୟ ଲହରରେ ଚିନ୍ତା ବଢାଇଛି ଶିଶୁଙ୍କ ସଂକ୍ରମଣ। କଟକରେ ଥିବା ୧୫ଟି ଶିଶୁ ଥଇଥାନ କେନ୍ଦ୍ରରୁ ୩ଟି କେନ୍ଦ୍ରରେ ମୋଟ୍ ୧୦ ଜଣ ଶିଶୁ ଏକକାଳୀନ କରୋନା ସଂକ୍ରମିତ ହୋଇସାରିଲେଣି। CWCର ତଥ୍ୟ ଅନୁଯାୟୀ, ବିଡାନାସୀସ୍ଥିତ ବସୁନ୍ଧରାରୁ ୪ ଜଣ, କଲେଜ ଛକ ଯଶୋଦା ସଦନରୁ ୫ ଜଣ ଓ ନୂଆପଡ଼ା ଉତ୍କଳ ବାଳାଶ୍ରମରୁ ଜଣେ ଲେଖାଏଁ ଶିଶୁ ସଂକ୍ରମିତ ଜଣାପଡିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜାରି କରିଛି ନୂଆ ଗାଇଡଲାଇନ୍। ଏଥିରେ କୌଣସି ଶିଶୁକୁ ଉଦ୍ଧାର କରି ଥଇଥାନ କେନ୍ଦ୍ରକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ନେଗେଟିଭ୍ ରିପୋର୍ଟ ଆସିଲେ ମଧ୍ୟ ୧୪ ଦିନ ସଙ୍ଗରୋଧରେ ରଖାଯିବାକୁ ନିର୍ଦ୍ଦେଶ ରହିଛି। ପ୍ରତି କେନ୍ଦ୍ରରେ ସ୍ୱତନ୍ତ୍ର ଆଇସୋଲେସନ ଗୃହ ସହ ସ୍ୱତନ୍ତ୍ର ନର୍ସିଂ କର୍ମଚାରୀଙ୍କୁ ନିୟୋଜିତ କରାଯିବ ପ୍ରତି ଶିଶୁ ଥଇଥାନ କେନ୍ଦ୍ରରେ ଅକ୍ସିଜେନର ବ୍ୟବସ୍ଥା ରହିବ।

ସୁନ୍ଦରଗଡ଼ରୁ ବି ଆସିଛି ଚମକାଇଲା ଭଳି ତଥ୍ୟ। ଟାଙ୍ଗରପାଲି ବ୍ଲକ ବେଳସରା ସେବାଶ୍ରମରେ ଥିବା ମୋଟ ୨୨ ଜଣଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧ ଜଣ ଅନ୍ତେବାସୀ ଶିଶୁ ପଜିଟିଭ ଥିବା ଜଣାପାଡିଛି। ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏବେ ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି। ଅନୁଗୁଳରେ ମଧ୍ୟ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନରୁ ୩୧ ଜଣ କରୋନା ସଂକ୍ରମିତ ହୋଇଥିଲେ ତେବେ ଏମାନେ ଲକ୍ଷଣବିହୀନ ଥିବାରୁ ସମସ୍ତଙ୍କୁ ସ୍ୱତନ୍ତ୍ର ଆଇସୋଲେସନରେ ଚିକିତ୍ସା କରାଯାଉଥିବା ଏବଂ ସମସ୍ତେ ସୁସ୍ଥ ଥିବା ଅନୁଗୁଳ ଡିସିପିଓ କହିଛନ୍ତି।

ସୂଚନା ଅନୁଯାୟୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ ୧୪ଟି ଜିଲ୍ଲାରେ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନକୁ କବଳିତ କରିଛି। ୭ଟି ଜିଲ୍ଲାରେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବାବେଳେ ବଳକା ୭ ଜିଲ୍ଲାରେ ଏବେବି ଅନେକ ଶିଶୁ ସଂକ୍ରମିତ ଅଛନ୍ତି। ଏସବୁ ଅନୁଷ୍ଠାନରୁ ଏଯାଏଁ ପ୍ରାୟ ୨୦୦ ଶିଶୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେପଟେ ଶିଶୁଙ୍କ ସଂକ୍ରମଣ ବୃଦ୍ଧି ମାମଲାକୁ ଦେଖି ବିଭିନ୍ନ ଜିଲ୍ଲା ଶିଶୁ ସୁରକ୍ଷା କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ବିଶେଷ କରି ଅନାଥ ଆଶ୍ରମକୁ ବିଭିନ୍ନ ସ୍ଥାନରୁ ପିଲାମାନେ ଆସୁଥିବାରୁ ସେସବୁ ଉପରେ ନଜର ରଖାଯାଇଛି। ଶିଶୁମାନଙ୍କ ଦାୟିତ୍ୱରେ ଥିବା କର୍ମଚାରୀମାନେ ନିଜକୁ ସଜାଗ ରଖିଲେ, ବିନା କାରଣରେ ବାହାରକୁ ନଗଲେ ଏବଂ ଶିଶୁମାନଙ୍କୁ କରୋନା ନେଇ ଯଥେଷ୍ଟ ସଚେତନ କରାଇଲେ ସଂକ୍ରମଣ ରୋକିହେବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ତଥ୍ୟ ଅନୁଯାୟୀ ୧୪ ବର୍ଷ ବୟସ ମଧ୍ୟରେ ମୋଟ୍ ୩୪, ୨୬୮ ଶିଶୁ ଏଯାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ରିପୋର୍ଟ: ପ୍ରଭାତ ବିଶୋଇ, ବିଜୟ ବରୁଆ, ବିରଜା ଦାଶ,  ଅଶୋକ ବ୍ରହ୍ମା ଓ ଆଲୋକ ମହାନ୍ତି

You might also like