ପୁଣି ଅସୁସ୍ଥ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସମାଜସେବୀ ଡି. ପ୍ରକାଶ ରାଓ ଗତକାଲିଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଅକ୍ସିଜେନ୍ ଲେବୁଲ କମ୍ ରହୁଥିବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିବା କୁହାଯାଇଛି।

କଟକ ବକ୍ସିବଜାରରେ ଚା ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ପଦ୍ମଶ୍ରୀ ରାଓ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି। ସେ ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟା ମଧ୍ୟ ରହିଛନ୍ତି। ତାଙ୍କର ସେବା ପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ୨୦୧୮ରେ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରକାଶଙ୍କୁ ଭେଟିଥିଲେ। ତାଙ୍କ ସହିତ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

ଏଥିସହିତ ୨୦୧୮ ମେ ୨୭ ତାରିଖ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରକାଶଙ୍କୁ ପ୍ରଶଂସା କରିଥିଲେ ମୋଦି। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି। ପ୍ରକାଶ ନିଜ ଆୟର ୫୦% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି। ପ୍ରକାଶଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମନ୍‌ କି ବାତ୍‌ରେ କହିଥିଲେ ମୋଦି।

କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ହଠାତ୍ ହେଲେ ଅସୁସ୍ଥ

ଗତବର୍ଷ ଜୁଲାଇ ୧୬ ତାରିଖରେ ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ ଯାଉବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା

ଜୁଲାଇ ୧୭ ତାରିଖରେ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତା ସହିତ ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ନବୀନ।

ପଦ୍ମଶ୍ରୀ ବିଜେତା ପ୍ରକାଶ

ଗତବର୍ଷ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ଡି. ପ୍ରକାଶ ରାଓ। ତାଙ୍କ ସହିତ ଦୈତାରୀ ନାୟକଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସମାଜସେବା କ୍ଷେତ୍ରରେ ପ୍ରକାଶ ଓ ଦୈତାରୀଙ୍କୁ ଏହି ସମ୍ମାନ ଦେଇଥିଲେ ରାଷ୍ଟ୍ରପତି।

ସେହିଭଳି କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ୩ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି ଚାଷ ପାଇଁ ପାଣି ଯୋଗାଇ ସଫଳତା ପାଇଥିଲେ। ସେହିପରି ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ କୋରାପୁଟର କମଳା ପୂଜାରୀ ଏବଂ ଚା’ ଦୋକାନ ଟଙ୍କାରେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ କଟକର ଡି. ପ୍ରକାଶ ରାଓ ମହନୀୟତା ଦେଖାଇଛନ୍ତି।

 

You might also like