କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ। କିଡ୍‌ନୀରେ ସମସ୍ୟା ଥିବା ସନ୍ଦେହ କରି ତାଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଦେଇଛନ୍ତି। ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ୨ ଦିନ ତଳେ କମଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସେ, ଜିଲ୍ଲା ପ୍ରଶାସନ ନିଜ ଖର୍ଚ୍ଚରେ ତାଙ୍କୁ ବ୍ରହ୍ମପୁର ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି। ଏବେ କମଳାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ଜଣାଇଛନ୍ତି।

ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତିଙ୍କ ହାତରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏଥିସହିତ କମଳାଙ୍କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରିଥିଲେ। ମାର୍ଚ୍ଚ ୨୦୧୮ରୁ ୨୦୧୯ ମେ ଯାଏ କମଳା ଯୋଜନା  ବୋର୍ଡର ସଦସ୍ୟା ଥିଲେ। ତେବେ ବୋର୍ଡରେ ତାଙ୍କର କାମ କଣ ଓ କେବେ ଯାଏ ସେ ବୋର୍ଡରେ ଥିଲେ, ସେକଥା ସରକାର କମଳାଙ୍କୁ ଜଣାଇନଥିଲେ। ଏପରିକି ମେ ୨୪ରୁ ସେ ଆଉ ସଦସ୍ୟ ନ ଥିଲେ ବି ସେକଥା ବି ଜାଣିନଥିଲେ କମଳା।

 

You might also like