ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ। ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଥିଲା ଅତୁଳନୀୟ ଅବଦାନ। ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ରଚନା କରିଛନ୍ତି ମନୋଜ ଦାସ। ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ ଆଦିର ଲେଖକ ହେଉଛନ୍ତି ମନୋଜ ଦାସ। ଏହି ପୁସ୍ତକ ଗୁଡ଼ିକ ଖୁବ୍ ଲୋକପ୍ରିୟ। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିବା ବେଳେ ୨୦୨୦ରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

ତାଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସେ ସମବେଦନା ଜଣାଇଛନ୍ତି।

ମନୋଜ ଦାସ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗ୍ରାମରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯେମିତି ତୁଳସୀ ଦୁଇ ପତ୍ରରୁ ବାସେ ଠିକ୍ ସେମିତି, ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା। ସେତେବେଳେ ତାଙ୍କ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଥିଲେ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା। ସେହି ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ। ପରେ ମନୋଜ ଦାସ ବାମପନ୍ଥୀ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ୍‌ ବିଭାଗରେ ଅଧ୍ୟୟନ କରିଥିଲେ ମନୋଜ ଦାସ। ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରିଥିଲେ।

ତାଙ୍କ ବିୟୋଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକପ୍ରକାଶ କରିଥିବା ବେଳେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକପ୍ରକାଶ କରିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଶୋକପ୍ରକାଶ କାରିଛନ୍ତି।

You might also like