‘ଯଦି ଧାନ ମଣ୍ଡିରୁ ଉଠୁନାହିଁ, ତା’ହେଲେ ଆମକୁ ଉଠାଇ ଜେଲ୍‌କୁ ନିଅନ୍ତୁ’ 

ସମ୍ବଲପୁର(ସଞ୍ଜୟ ଜେନା): ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ବିଜେପିର କିଛି ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନା ପରିସରରେ ରାତି ସାରା ଧାରଣା ଦେଇଛନ୍ତି। ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍‌ନି ଛଟ୍‌ନି, ବଳକା ଧାନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଧାରଣା ଦେଇଛନ୍ତି। ସମ୍ବଲପୁର ଟାଉନ୍ ଥାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗତକାଲି ଅପରାହ୍ଣରୁ ଧାରଣାରେ ବସିଥିବା ନେତା ଏବେ ଯାଏ ମଧ୍ୟ ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି। ଯେତେବେଳେ ଯାଏ ଚାଷୀଙ୍କ ସମସ୍ୟା ସମାଧାନ ହେବନି ସେତେବେଳେ ଯାଏ ଧାରଣାରେ ବସି ରହିବେ ବୋଲି ବିଜେପି ନେତା କହିଛନ୍ତି। ଗତକାଲିଠୁ ଥାନା ପରିସରରେ ବିଜେପି ନେତାଙ୍କ ଧାରଣା ପରେ ବି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ଘଟଣାକୁ ନେଇ ସମୀର ମହାନ୍ତି କହିଛନ୍ତି, ‘ସମସ୍ତ ମଣ୍ଡିରେ ଧାନ ପଡ଼ି ରହିଛି। ଏହି କଥା ଜିଲ୍ଲା ପ୍ରଶାସନ ଜାଣିଛନ୍ତି। ଧାନ ମଣ୍ଡିରୁ ଉଠିବ, ଆମେ ଉଠିବୁ। ଯଦି ଧାନ ମଣ୍ଡିରୁ ଉଠୁନାହିଁ, ତା’ହେଲେ ଆମକୁ ଉଠାଇ ଜେଲ୍‌କୁ ନିଅନ୍ତୁ।’

ଗତକାଲି ବିଜେପି ନେତା ଓ କର୍ମୀ ବିଶାଳ ସମାବେଶ କରିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଆର୍‌ଡିସି ଅଫିସ୍ ଘେରାଉ ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା।

You might also like