ଧରା ପଡିଲା ଧ୍ରୁବ ସାହୁଙ୍କ ଡାହା ମିଛ

ଧାନକିଣା ଦୁର୍ନୀତିରେ ଜାଲ୍ ଚାଷୀଙ୍କ ନାଁ ସହ ଖାପ ଖାଉଛି ଧ୍ରୁବଙ୍କ ସୁପାରିଶ

କେନ୍ଦ୍ରାପଡା : ଧରା ପଡିଲା ଧାନ କିଣା ଦୁର୍ନୀତିରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଡାହା ମିଛ। ବିଧାନସଭା ପିଏସି ଚେୟାରମ୍ୟାନ୍‌ଙ୍କୁ ସିଏଜିଙ୍କ ରିପୋର୍ଟରୁ ଜଣାପଡିଛି ୧୬୩ ଚାଷୀଙ୍କ ଭିତରୁ ୪୩ଟି ଜାଲ ନାଁ ଥିବା ଚାଷୀଙ୍କୁ ଧାନ କିଣା ବାବଦରେ ଦିଅାଯାଇଛି ୩୮ ଲକ୍ଷ  ୭୩ ହଜାର ଟଙ୍କା।

ଏମିତି ଜଣେ ହେଲେ କ୍ଷେତ୍ରବାସୀ ପ୍ରଧାନ। ତାଙ୍କ ନାଁ ପଞ୍ଜିକରଣ ହୋଇନି, କିନ୍ତୁ ଧାନ ବିକି ନେଇଛନ୍ତି  ୭୮ ହଜାର ୯୬୦ ଟଙ୍କା। ସେମିତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ନାଁ ବି ପଞ୍ଜିକରଣ ହୋଇନି, ହେଲେ ସେ ବି ଧାନ ବିକି ନେଇଛନ୍ତି ୭୦ ହଜାର ୫୦୦ ଟଙ୍କା।

ବଡ଼ କଥା ହେଲା ଧାନ କିଣିବା ପାଇଁ ଧ୍ରୁବ ସାହୁ ସୁପାରିଶ କରିଥିବା ଚାଷୀଙ୍କ ତାଲିକାରେ ବି ଏ ଦୁହିଁଙ୍କ ନାଁ ଅଛି। ସିଏଜି ଚିହ୍ନଟ କରିଥିବା ୪୩ଜଣ ଜାଲ ଚାଷୀଙ୍କ ଭିତରୁ ଅନେକ ଅଛନ୍ତି ଏହି ତାଲିକାରେ। ଏଠି ପ୍ରଶ୍ନ, ଯଦି ଜାଲ ଚାଷୀଙ୍କ ନାଁରେ ଧାନ କିଣା ହେଲା ଓ ଏ ଚାଷୀଙ୍କ ତାଲିକା ଖୋଦ ଧ୍ରୁବ ସାହୁଙ୍କ ସୁପାରିଶ ଥିଲା, ତାହାଲେ ସେ ନିର୍ଦ୍ଦୋଷ ହେଲେ କେମିତି ?

କଥା ଏତିକିରେ ସରିନି। ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଭିଯୋଗକୁ ଅାଧର କରି ବି କଟକ ଡିଅାରସିଏସ କରିଥିବା ତଦନ୍ତ ରିପୋର୍ଟ ଅନୁସାରେ ବଞ୍ଚିଥିବା ଚାଷୀଙ୍କୁ ବି ମାରି ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ଶ୍ୟାମସୁନ୍ଦରପୁର ପାକ୍ସ ଅଧିନରେ ଥିବା ବିଲିକନା ଗାଁର ଚାଷୀ ମାନଗୋବିନ୍ଦ ସାହୁ ମୃତ ବୋଲି ଦର୍ଶାଇଛନ୍ତି ତଦନ୍ତକାରୀ ଅଫିସର।

ତଦନ୍ତରେ ଅାଉ ଏକ ବଡ ବ୍ୟତିକ୍ରମ। ୨୦୧୬ ମାର୍ଚ୍ଚ ୧୬ରୁ ୩୦ ଭିତରେ ଧାନ କିଣା ହୋଇଥିବା ଦର୍ଶାଯାଇଛି। ସେ ସମୟରେ ମାର୍କଫେଡ୍‌ର ଦୁଇ ମ୍ୟାନେଜର ମନୋରଂଜନ ବିଶ୍ୱାଳ ଓ ଅକ୍ଷୟ ମହାପାତ୍ର ଧାନ କିଣିଛନ୍ତି। ହେଲେ ବାସ୍ତବ କଥା ହେଉଛି ଅକ୍ଷୟ ମହାପାତ୍ର ମେ’ ମାସ ୨୦ ତାରିଖରେ କେନ୍ଦ୍ରାପଡାରେ ହିଁ ଜଏନ କରିଥିବା ସରକାରୀ ରେକର୍ଡ କହୁଛି। ତେଣୁ ପ୍ରଶ୍ନ ଏ ଅଧିକାରୀ ଜଣକ କଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଯୋଗଦେବା ପୂର୍ବରୁ ଧାନ କିପରି କିଣିଥିଲେ ?

୨୦୧୫-୧୬ରେ ମାର୍କଫ଼େଡ ମାଧ୍ୟମରେ କେନ୍ଦ୍ରାପଡାରେ ଧାନ କିଣାରେ ବ୍ୟାପକ ଦୁର୍ନତି ଅଭିଯୋଗ ଅାସିଥିଲା। ଯୋଗାଣ ବିଭାଗର ସ୍ୱତନ୍ତ୍ର ଅଡିଟ ରିପୋର୍ଟରେ ବି ଏକଥା ପଦାକୁ ଅାସିବା ପରେ ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ସଂପୃକ୍ତିକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

You might also like