ମନ୍ତ୍ରୀ ରଖୁଥିଲେ ବିବୃତ୍ତି, ସେପଟେ ବିଷ ପିଇଦେଲେ ବିଜେପି ବିଧାୟକ

ସାନିଟାଇଜର ପିଇଦେଲେ ବିଧାୟକ

  • ଅନ୍ତହୀନ ମଣ୍ଡି ଯନ୍ତ୍ରଣାକୁ ନେଇ ବିଧାନସଭାରେ ବିରୋଧୀଙ୍କ ତମ୍ବିତୋଫାନ
  • ଯୋଗାଣମନ୍ତ୍ରୀଙ୍କ ବିବୃତ୍ତି ବେଳେ ସାନିଟାଇଜର ପିଇଦେଲେ ବିଧାୟକ
  • ଗୃହରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ପଦ୍ମପୁରରେ ଚାଷୀ ଅନଶନକୁ ୪ ଦିନ, ମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର

ଭୁବନେଶ୍ୱର: ଅନ୍ତହୀନ ମଣ୍ଡି ଯନ୍ତ୍ରଣାକୁ ନେଇ ବିଧାନସଭାରେ ବିରୋଧୀ ତମ୍ବିତୋଫାନ କରିଛନ୍ତି। ଆଉ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଯୋଗାଣମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମଣ୍ଡି ପ୍ରସଙ୍ଗକୁ ନେଇ ଆଜି ଦିନତମାନ ଏମିତି ସୃଷ୍ଟି ହୋଇଥିଲା ହଲଚଲ୍। ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ନିଜେ ଯୋଗାଣମନ୍ତ୍ରୀ ସବୁ ଧାନ ଉଠାଇବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ବଢୁଛି କ୍ଷୋଭ। ପଦ୍ମପୁରରେ ଚାଷୀ ଅନଶନରେ ବସିଥିବା ବେଳେ କୁଚିଣ୍ଡାରେ ଘୋର ଆର୍ଥିକ ଦୁର୍ଦ୍ଦଶାକୁ ଆସିଲେଣି ଚାଷୀ।

ବାଚସ୍ପତିଙ୍କ ରୁଲିଂ ପରେ ମଣ୍ଡି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ସାନିଟାଇଜର ପିଇ ଅତ୍ମହତ୍ୟା ଉଦ୍ୟମ କରିଥିଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ମଣ୍ଡି ପ୍ରସଙ୍ଗକୁ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ସୁବାସ। ତେବେ ଟୋକନ ସମସ୍ୟାରୁ ଚାଷୀ ଧାନ ବିକିନପାରି ହନ୍ତସନ୍ତ ହେବାକୁ ନେଇ ଆଜି ଏଭଳି ଚରମ ପଦକ୍ଷେପ ନେଇଥିଲେ ସୁବାସ। ତେବେ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲେ।

ସେପଟେ ବିଜେପି ବିଧାୟକ କହିଛନ୍ତି, ମନ୍ତ୍ରୀଙ୍କ ବିବୃତ୍ତିର କୌଣସି ମୂଲ୍ୟ ରହିଲା ନାହିଁ। ଚାଷୀମାନଙ୍କ ଧାନ ମଣ୍ଡିରେ ପଡ଼ିଛି, ସେମାନଙ୍କ କଥା କେହି ବୁଝୁନାହାନ୍ତି। ତେଣୁ ଉପାୟଶୂନ୍ୟ ହୋଇ ବାଧ୍ୟ ହୋଇ ସାନିଟାଇଜର ପିଇଲି ବୋଲି କହିଛନ୍ତି ବିଧାୟକ।

ଆଉ ପ୍ରତିକ୍ରିୟା ରଖିଛି ବିଜେଡ଼ି। ଦଳର ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ କହିଛନ୍ତି ବିଷ ପିଇ ପ୍ରଚାର ଓ ପ୍ରସାର କରୁଛନ୍ତି। ଏହାସହ ଚାଷୀମାନଙ୍କୁ ମଧ୍ୟ ଉସକାଉଛନ୍ତି। ସରକାର ଚାଷୀଙ୍କୁ ଅନେକ କିଛି ସହାୟତା ଦେଉଛନ୍ତି କିନ୍ତୁ ତାହାକୁ ଚାଷୀ ପାଖରେ ନପହଞ୍ଚାଇ ବିଧାନସଭାରେ ନିଜର ଆତ୍ମପ୍ରଚାର କରୁଛନ୍ତି ବୋଲି ଶ୍ରୀମତି ମଲିକ କହିଛନ୍ତି।

ଆଜି ପ୍ରଶ୍ନକାଳ ଆରମ୍ଭରୁ ମଣ୍ଡି ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା। କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ, ସରକାର ଗୃହ ସହ ବିଶ୍ୱାସ ଘାତକତା କରିଛନ୍ତି। ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁସାରେ-ପ୍ରକୃତ ଚାଷୀଙ୍କଠୁ ଧାନ କିଣାଯାଇ, ନକଲି ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସଂସଦୀୟ ମନ୍ତ୍ରୀ ଯାହା କହିଥିଲେ ତାହା ପାଳନ ହୋଇନି। ଆଉ ବିଜେପି କହିଛି ସରକାର ଯଦି ଗୃହକୁ ମିଛ କହୁଛନ୍ତି, ତାହାଲେ ସାଧାରଣ ଲୋକଙ୍କୁ କଣ କହୁଥିବେ? ଆଉ ଏ ସମ୍ପର୍କରେ ଜବାବ ରଖିଛି ବିଜେଡି।

ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ତମ୍ବିତୋଫାନ ହୋଇଥିବା ବେଳେ ପଦ୍ମପୁରରେ ଅନସନରେ ବସିଛନ୍ତି ଚାଷୀ। ମଣ୍ଡିରୁ ସବୁ ଧାନ ଉଠାଇବାକୁ ଗତ ୨୭ ତାରିଖରେ ବିଧାନସଭାରେ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। ଆଉ ବାସ୍ତବ କ୍ଷେତ୍ରରେ ତାହା କେତେ ପୂରଣ ହୋଇଛି  ତାର ଚିତ୍ର ଆଜିର ଘଟଣାରୁ ବୟାନ କରୁଛି। ଫଳରରେ ଉପାୟ ଶୂନ୍ୟ ପଦ୍ମପୁର ଉପଖଣ୍ଡର ଚାଷୀ ୪ ଦିନ ହେଲା ଉପ-ଜିଲ୍ଲାପାଳ ଅଫିସ୍ ଆଗରେ ଅନଶନରେ ବସିଛନ୍ତି।

ଗତ ୨୨ ତାରିଖରେ ଚାଷୀ ରାସ୍ତାରୋକ ସହ ସରକାରୀ ଅଫିସରେ ତାଲା ବି ପକାଇଥିଲେ। ସେତେବେଳେ ସ୍ଥିତି ବିଗୁଡୁଥିବା ଦେଖି ଜିଲ୍ଲା ପ୍ରଶାସନ ସପ୍ତାହକ ଭିତରେ ସବୁ ଧାନ କିଣିବାକୁ କହିଥିଲା, ହେଲେ ୧୮ଦିନ ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି। ବର୍ଷା ଓ ଖରାରେ ପଡ଼ିଥିବା ହଜାର ହଜାର କୁଇଣ୍ଟାଲ ଧାନ ଖରାପ ହେବାକୁ ବସିଲାଣି। ମଣ୍ଡିରେ ଧାନ ଉଠୁନଥିବାରୁ ଘୋର ଆର୍ଥିକ ସଙ୍କଟରେ ଚାଷୀ। ଋଣ ପରିଶୋଧଠୁ ଔଷଧ କିଣା ସବୁ ବନ୍ଦ ଜୀବନ ଦୁର୍ବିସହ ହେଲାଣି। ଅନଶନ ହେଉ କି ବିଧାନସଭାରେ ତୁମ୍ବିତୋଫାନ ଏବେ ଅପେକ୍ଷା କେବେ ଚାଷୀଙ୍କୁ ମିଳୁଛି ମଣ୍ଡି ଯନ୍ତ୍ରଣାରୁ ମୁକ୍ତି ?

ପଦ୍ମପୁରରୁ ସୋମେଶ ମହାନ୍ତି, କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like