’ବଞ୍ଚିତ ହେବେ ନାହିଁ ପଞ୍ଜୀକୃତ ଚାଷୀ, ୩୧ ସୁଦ୍ଧା କିଣାଯିବ ଧାନ’

ଧାନ କ୍ରୟ ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ। ଧାନ କ୍ରୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ପଞ୍ଜୀକୃତ ଚାଷୀଙ୍କ ଯେମିତି ସମସ୍ୟା ନହୁଏ ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନକିଣା ନେଇ ଯେଉଁ ସମସ୍ୟା ରହିଛି ତାହାର ତଦନ୍ତ ଚାଲିଛି । ଟୋକନ ଲାପ୍ସ ଓ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି ।  ପଞ୍ଜୀକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ସମସ୍ୟା ନେଇ ଯେଉଁ ବିଧାୟକ ମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ, ତାର ସମାଧାନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ କକ୍ଷ ତ୍ୟାଗ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ୬ ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ଚାଲିଥିଲା ବିଧାନସଭା।

You might also like