ଧାନ ବିକ୍ରି ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଏଥର ବି ଅଗ୍ରମୀ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ ଜେନେରେଟ ହେବ।

କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ।

ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବ। ଯଦି କେହି  ଟୋକନ ପାଇନଥିବେ, ୧୯୬୭ ଟୋଲ ଫି ନମ୍ବରରେ ସେମାନେ ଜଣାଇ ପାରିବେ। କେଉଁ ଜିଲ୍ଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରୋକ୍ୟୁସର୍ମେଣ୍ଟ କମିଟି ନିଷ୍ପତ୍ତି ନେବ।

ପଶ୍ଚିମ ଓଡିଶା ଜିଲ୍ଲାଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ। ସବୁ ବ୍ଲକରେ ପି-ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ, ଏଭଳି ୫୦ ବ୍ଲକରେ ଅଫଲାଇନରେ କରାଯିବ।

ଚଳିତ ବର୍ଷ ନୂଆ ଏମଏସପି ଦରରେ କିଣାଯିବା ଧାନ ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮ଶହ ୬୮ ଟଙ୍କା ଓ ଗ୍ରେଡ ଏ ମାନର ଧାନ  ୧୮ଶହ ୮୮ ଟଙ୍କାରେ କିଣାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ।

You might also like