ଶାସକ-ବିରୋଧୀଙ୍କ ନାରାବାଜି ଭିତରେ ଆଜି ବି ଅଚଳ ହେଲା ବିଧାନସଭା, ସେପଟେ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍‌

ଫେଲ ହେଲା ସର୍ବଦଳୀୟ ବୈଠକ

ଦିଲ୍ଲୀ ଦରବାରରେ ମଣ୍ଡି ଲଢ଼େଇ
ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି
ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଲା ବିଜେପି
ଲଗାତର ୪ ଦିନ ଧରି ବିଧାନସଭା ଅଚଳ, ସର୍ବଦଳୀୟ ବୈଠକ ବି ଫେଲ୍

ଭୁବନେଶ୍ୱର: ତେଜିଲା ଧାନ ରାଜନୀତି। ବିଧାନସଭା ପରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଏବେ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିଲା ଲଢ଼େଇ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସଂସଦୀୟ ଟିମ୍ ଆଜି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଛି। ସେପଟେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ପାଇଁ ଲଗାତର ୪ ଦିନ ପାଇଁ ଅଚଳ ରହିଛି ବିଧାନସଭା। ଆଜି ଦୁଇ ଦୁଇଟି ସର୍ବଦଳୀୟ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନି। ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ ଗୃହ ଚାଲିବ, ନହେଲେ ଚଳାଇ ଦେବୁ ନାହିଁ ବୋଲି ଅଡ଼ି ବସିଛନ୍ତି ବିରୋଧୀ।

ରାଜ୍ୟ ସରକାରଙ୍କ ଉପରେ କଡ଼ା ନିଶାନା କରିଛନ୍ତି ବିରୋଧୀ ଦଳ। ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଚାଷୀ ଶୋଷଣର ଅନୁଷ୍ଠାନ ଖୋଲିଛନ୍ତି। ରାଜ୍ୟର ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ବ୍ୟବସ୍ଥା ଓ ଅପାରଗତା ପାଇଁ ଦଲାଲ, ମିଲର ଓ ମଣ୍ଡିମାଫିଆଙ୍କ ଚକ୍ରବ୍ୟୂହରେ ପଶି ହନ୍ତସନ୍ତ ହେଉଛି ଚାଷୀ। ତ୍ରୁଟିପୂର୍ଣ୍ଣ ଟୋକନ୍ ଯୋଗାଣ ବ୍ୟବସ୍ଥା ବି ଚାଷୀ ସମସ୍ୟାକୁ ଦୁର୍ବିସହ କରି ଦେଇଛି। ତେବେ ନିଜ ଅବ୍ୟବସ୍ଥାକୁ ଲୁଚାଇବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା କରୁ ନଥିବାର ବାହାନା କରୁଥିବା ଅଭିଯୋଗ କରି ତୁରନ୍ତ ଯୋଗାଣମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେପି।

ଏହାପରେ ଟୁଇଟ୍ କରି ଧର୍ମେନ୍ଦ୍ର କରିଛନ୍ତି ଧାନସଂଗ୍ରହ ନେଇ ରାଜ୍ୟ ସରକାର ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏକର ପିଛା ଧାନ ସଂଗ୍ରହର ସୀମା ସଂଶୋଧନ ହେଉ ନଥିବାରୁ ଏମ୍ଏସପିର ଅଧା ଦରରେ ହଜାର ହଜାର ଚାଷୀ ଧାନ ବିକୁଛନ୍ତି। ରାଜ୍ୟ ସରକାରଙ୍କ ଅନୈତିକ କ୍ଷମତା ଦୁରୂପଯୋଗକୁ ରୋକାଯିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ପାଇଁ ଦାବି କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର।

ଏପଟେ ଲଗାତର ୪ ଦିନ ଧରି ଅଚଳ ବିଧାନସଭା ପ୍ରଶ୍ନକାଳ। ଗୃହ ଆରମ୍ଭ ହେବାକ୍ଷଣି ଗତ ୩ ଦିନ ଭଳି ଆଜି ବି ଗୃହରେ ଦେଖିବାକୁ ମିଳିଥିଲା ସମାନ ଚିତ୍ର। ଗୃହ ମଧ୍ୟଭାଗରେ ବିଜେପି, କଂଗ୍ରେସ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ନାରାବାଜି ଦେଖିବାକୁ ମିଳିଥିଲା। ସବୁଥର ଭଳି ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ଆକ୍ରମଣ କରିଥିଲେ ଶାସକ ଦଳକୁ। ସେପଟେ ଶାସକ ଦଳର ସୁବାସ ପାଣିଗ୍ରାହୀ କ୍ଷମାପ୍ରାର୍ଥନା ଦାବିର ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ଏମିତିକି ସର୍ବଦଳୀୟ ବୈଠକ ବି ଫେଲ୍ ମାରିଲା। ଧାନ କିଣା ସମସ୍ୟା ନେଇ ବୈଠକରେ ଆଲୋଚନା ନ ହୋଇ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ଆଲୋଚନା ହେବାର ଅଭିଯୋଗ ଆଣି କଂଗ୍ରେସ ଓ ଶାସକ ଦଳ ନିଜ ଜିଦରେ ଅଡ଼ି ବସିଥିବା ଅଭିଯୋଗ କରି ବିଜେପି ମଧ୍ୟ ସର୍ବଦଳୀୟ ବୈଠକରୁ ବାହାରି ଆସିଲା। ଆଉ ଆଜି ବି  ଚାଲିପାରିଲାନି ଗୃହ।

ଚାଷୀ ସମସ୍ୟାକୁ ନେଇ ଗୋଟିଏ ପଟେ ବିଧାନସଭା କମ୍ପୁଥିଲା ବେଳେ ସମାନ ପ୍ରସଙ୍ଗରେ ଲଢ଼େଇ ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଥିବାରୁ ଏବେ ଦେଖିବାର କଥା ଚାଷୀ ଦୁଃଖ କେବେ ସରୁଛି, ସବୁ ଚାଷୀଙ୍କ ଧାନ ମଣ୍ଡିରୁ କେବେ ଉଠୁଛି?

ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ୍ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like