“ସ୍ଥିତି ସଙ୍ଗୀନ, ଆମକୁ ଅକ୍ସିଜେନ୍‌ ଦିଅ”

ଅକ୍ସିଜେନ୍‌ର ଘୋର ଅଭାବ

  • ଦେଶବାସୀଙ୍କ ନିଦ ହଜାଇଲା କରୋନାର ଦ୍ୱିତୀୟ ଲହର
  • ଦିନକରେ ୩ ଲକ୍ଷରୁ ଅଧିକ ସଂକ୍ରମଣ, ୨୨ଶହରୁ ଅଧିକ ମୃତ୍ୟୁ
  • ସବୁଠୁ ଅଧିକ ୧୧ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କଲେ ଆଲୋଚନା
  • ମେଡିକାଲ ଅକ୍ସିଜେନର ନିରନ୍ତର ଯୋଗାଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶବାସୀଙ୍କ ନିଦ ହଜାଇ ଦେଇଛି କରୋନାର ଦ୍ୱିତୀୟ କହର। ଦେଶର ବଡ଼ ବଡ଼ ମେଡିକାଲରେ ଏବେ ଅକ୍ସିଜେନର ଘୋର ସଙ୍କଟରୁ ଚାଲିଯାଉଛି ଅନେକ ଜୀବନ। ଏହାକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର କୋଭିଡ୍ ସ୍ଥିତି ନେଇ ଆଲୋଚନା କରିଛନ୍ତି। ବୈଠକରେ ସବୁ ରାଜ୍ୟ ମେଡିକାଲ, ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପାଇଁ ବ୍ୟାକୁଳ ହେଉଥିବାରୁ ଏହାର ନିରନ୍ତର ଯୋଗାଣ ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଦେଶରେ ଦିନକରେ ୩ ଲକ୍ଷ ପାର ହେଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୨୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଲା। ମହାମାରୀ କରୋନାର ଦ୍ୱିତୀୟ ଲହର ପୁରା ଦେଶବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଆଜି ୧୧ଟି ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, କେରଳ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇ ନିଜ ନିଜ ରାଜ୍ୟର ସ୍ଥିତି ଏବଂ ସ୍ଥିତି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହୟତା ଲୋଡ଼ିଥିଲେ। କୋଭିଡରେ କ୍ଷତିଗ୍ରସ୍ତ ଏ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି।

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ,ସ୍ୱାସ୍ଥ୍ୟମନ୍ତ୍ରୀ,ରେଳମନ୍ତ୍ରୀଙ୍କ ସହ ନୀତି ଆୟୋଗ ସଦସ୍ୟ ମଧ୍ୟ ସାମିଲ ଥିଲେ। ଏହି ଅବସରରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ମେଡିକାଲ ଅକ୍ସିଜେନର ସବୁଠୁ ବଡ଼ ଆବଶ୍ୟକତା ଥିବାରୁ ତା ଉପରେ ଜୋର ଦେଇଥିଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏପଟେ ମେଡିକାଲ ଅକ୍ସିଜେନର ବହୁଳ ଉତ୍ପାଦନ ଓ ଯୋଗାଣ ସାଙ୍ଗକୁ ନିରବଚ୍ଛିନ୍ନ ପରିବହନ କିପରି ହୋଇପାରିବ, ସେ ନେଇ ଦେଶର ଅକ୍ସିଜେନ୍ ପ୍ରସ୍ତୁତକାରୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ ଦେଶର ବିଭିନ୍ନ ହସ୍ପିଟାଲ ଅବଶ୍ୟକ କରୁଥିବା ଅକ୍ସିଜେନ୍ ଯୋଗାଇ ଦିଆଯିବ ବୋଲି ପିଏମ୍ ଆଶ୍ୱାସନା ଦେଇଛନ୍ତି। ସେହିଭଳି ଅକ୍ସିଜେନର ପରିବହନ ସମୟ କମାଇବାକୁ ଅକ୍ସିଜେନ୍ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରାଯାଇଥିବା ଏବଂ ବାୟୁସେନା ବିମାନ ମାଧ୍ୟମରେ ଟ୍ୟାଙ୍କର ପରିବହନ କରାଯାଉଥିବା ପିଏମ୍ଓ ସୂଚନା ଦେଇଛି। ଏପଟେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟର ଅନୁରୋଧ ପରେ ଟ୍ରେନ୍ ଓ୍ୱାଗନରେ ବହୁ ପରିମାଣର ଅକ୍ସିଜେନ୍ ଯୋଗାଣ ହେଉଥିବାରୁ ଏସବୁ ରାଜ୍ୟ ସରକାର ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି ରେଲେଓ୍ୱ ବୋର୍ଡ ଚେୟାରମ୍ୟାନ୍।

ଦେଶରେ ଅକ୍ସିଜଜେନର ଗୁରୁତର ସଙ୍କଟ ଭିତରେ ଓଡ଼ିଶାର ବିଭିନ୍ନ ପ୍ଲାଣ୍ଟରୁ ଯୋଗାଇ ଦିଆଯାଉଛି ବିପୁଳ ପରିମାଣର ମେଡିକାଲ ଲିକ୍ୟୁଇଡ୍‌ ଅକ୍ସିଜେନ୍। ଆଜି ରାଉରକେଲାର ସେଲ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ, ଜେଏସ୍ପିଏଲରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି। ମେଡିକାଲ ଅକ୍ସିଜେନ୍ ଏଥିପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇ କିଭଳି ସ୍ୱଚ୍ଛନ୍ଦରେ ଅକ୍ସିଜେନ୍ ଟ୍ୟାଙ୍କର ଯାଇପାରିବ, ତାର ବ୍ୟବସ୍ଥା କରାଯାଇଛି। ସେହିଭଳି ଓ଼ଡ଼ିଶାରୁ ତେଲେଙ୍ଗାନା ଅକ୍ସିଜେନ୍ ନେବା ଲାଗି ୯ଟି ଟ୍ୟାଙ୍କରକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚାଇଛି ବାୟୁ ସେନାର ବିଶାଳ ପରିବହନ ବିମାନ ସି-୧୭ ଗ୍ଲୋବ୍ମାଷ୍ଟର। ଏପଟେ ସମୟର ଆହ୍ୱାନ କ୍ରମେ ଦେଶର ସମସ୍ତ ଷ୍ଟିଲ କମ୍ପାନୀ ଏବେ ୨୪ ଘଣ୍ଟିଆ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତିରେ ଲାଗିଥିବାରୁ ଏସବୁ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଯାଏଁ ଷ୍ଟିଲ୍ ପ୍ଲାଣ୍ଟ ଗୁଡ଼ିକରୁ ବିଭିନ୍ନ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି ବୋଲି ଜଣାଯାଇଛି।

You might also like