ଭୁବନେଶ୍ୱର: ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଚୋବେଇ ବଳଦ ଗୁରୁତର। ପାଲଲହଡା ବ୍ଲକ ବାରକୋଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଚନ୍ଦ୍ରମଣି ବେହେରାଙ୍କ ବଳଦ ଜଙ୍ଗଲରେ ଚରୁଥିବାବେଳେ ଘାସ ପୁଡିଆକୁ ଚୋବେଇବା ଦ୍ୱାରା ଏହା ଭିତରେ ଥିବା ବୋମା ଫାଟିଯାଇଥିଲା। ଫଳରେ ବିସ୍ଫୋରଣ ଘଟି ବଳଦର ମୁହଁ, ଜିଭ ଛିନଛତ୍ର ହୋଇଯିବା ସହ ତାର ଅବସ୍ଥା ଗୁରୁତର ରହିଛି।

ତେବେ କେହି ଦୁର୍ବୃତ୍ତ ଜଙ୍ଗଲରେ ବାରହା ଶିକାର ପାଇଁ ଘାସ ପୁଡିଆ ଭିତରେ ବୋମା ଲୁଚାଇ ରଖିଥିବାରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନବିଭାଗକୁ ଖବର ଦେବା ପରେ ବନକର୍ମଚାରୀ ଗାଁରେ ପହଂଚି ଘଟଣା ବୁଝିଛନ୍ତି। ତେବେ ନିରୀହ ପଶୁର ଏଭଳି ଅବସ୍ଥା କରିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ସବୁଦିନ ପରି ଆଜି ବି ବଳଦ ଚରିବାକୁ ଯାଇଥିଲା। ହଠାତ୍ ଚରିବା ସମୟରେ ଗୋଟିଏ ଶବ୍ଦ ଶୁଭିଲା। ପରେ ଜଣେ ଲୋକ ଏନେଇ ମୋତେ ଖବର ଦେଇଥିଲା। ମୁଁ ଯାଇ ଦେଖିଲା ବେଳକୁ ବଳଦର ମୁହଁ ଛିନ୍‌ଛତ୍ର ହୋଇଯାଇଥିଲା। ମୁଁ ତୁରନ୍ତ ଏହି ଖବର ବନ ବିଭାଗକୁ ଜଣାଇଥିଲି। ବନ କର୍ମଚାରୀ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ।
-ଚନ୍ଦ୍ରମଣି ବେହେରା, ବଦଳର ମାଲିକ
ଶିକାର ଉଦ୍ଦେଶ୍ୟରେ କେହି ନା କେହି ଘାସ ପୁଡ଼ିଆରେ ବମ୍‌ ରଖିଦେଇଥିଲେ। ବଳଦଟା ଖାଦ୍ୟ ଭାବି ବୋମାକୁ ଖାଇଦେଇଥିଲା। ଫଳରେ ବୋମାଟି ପାଟିରେ ଫାଟିଯାଇଥିଲା। ଏହାର ତଦନ୍ତ କରାଯାଉ। ଆଉ ଯିଏ ଏହି କାମ କରିଛି ତାକୁ ଶାସ୍ତି ଦିଆଯାଉ। 
-ବିପିନ ସାହୁ, ଗ୍ରାମବାସୀ

ତେବେ ଓଡ଼ିଶାରେ ଏକଥା ନୂଆ ଘଠଣା ନୁହେଁ। ଶିକାର ପାଇଁ ମଣିଷ ଏତେ ପାଗଳ ଯେ, ଏଭଳି ଘୃଣ୍ୟ କାମ କରିବାକୁ ପଛାଉନାହାନ୍ତି। ଗତ ଜାନୁଆରୀରେ ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି କାଳୁଆ ରୋଡ଼ ନିକଟରେ ଥିବା ବିଲରେ କିଛି ଦୁର୍ବୃତ୍ତ ସେଠାରେ ଶିକାର ଉଦ୍ଦେଶ୍ୟରେ ବୋମା ରଖିଦେଇଥିଲେ। ପରଦିନ ଖାଦ୍ୟ ଉଦ୍ଦେଶ୍ୟରେ ବିଲରେ ଗାଈ ଚରୁଥିଲା ବେଳେ ହଠାତ୍ ତାର ନଜର ସେହି ଖାଦ୍ୟ ସଦୃଶ ବୋମା ଉପରେ ପଡ଼ିଥିଲା।

ବିଚରା ନିରୀହ ଗାଈଟି ଖାଦ୍ୟ ଆଶାରେ ବୋମାଟିକୁ ଚୋବାଇ ଦେଇଥିଲା। ବୋମାକୁ ମୁହଁରେ ଚୋବାଇବା କ୍ଷଣି ପାଟିରେ ଫାଟିଯାଇଥିଲା। କିଛି ନିରୁପାୟ ନିରୀହ ଗାଈଟି କଷ୍ଟ ସହି ନପାରି ପଡ଼ିଯାଇଥିଲା। ଆଖିରୁ ଲୁହ ଆଉ ମୁହଁରୁ ରକ୍ତ ବାହାରିଥିଲା।

ସେହିପରି ଗତବର୍ଷ କେରଳର ମଲ୍ଲାପୁରମ୍‌ରେ ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଥିଲା ଘୃଣ୍ୟ ଉଦାହରଣ।

କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

Other Stories