ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି: ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି।

ଏହି ଶ୍ରମିକମାନେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ତେବେ କଣ୍ଟାବାଞ୍ଜି ଷ୍ଟେସନରେ ଚଳନ୍ତା ଟ୍ରେନ୍‌ର‌ ଚେନ୍ ପୁଲିଂ କରି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ ଶ୍ରମିକମାନେ। ଆଜି ଭୋର ୪ଟା ୩୮ ସମୟରେ ଏହି ଘଟଣା ଘଟିଛି। କଣ୍ଟାବାଞ୍ଜି ରେଳ ଷ୍ଟେସନ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍‌ ଷ୍ଟେସନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଗାଁର କ୍ୱାରେଣ୍ଟିନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ବଲାଙ୍ଗିର ଏସ୍‌ପି କହିଛନ୍ତି।

ଶ୍ରମିକମାନେ ଚେନ୍ ପୁଲିଂ କରି ଓହ୍ଲାଇଥିବା କଣ୍ଟାବାଞ୍ଜି ରେଳ ଷ୍ଟେସନ ମ୍ୟାନେଜର କହି ଥିବାବେଳେ ଚେନ୍ ପୁଲିଂ କରି ନାହାନ୍ତି ବୋଲି ଶ୍ରମିକମାନେ ସଫେଇ ଦେଇଛନ୍ତି। ଷ୍ଟେସନରେ ଟ୍ରେନ୍ ଅଟକିବାରୁ ସେମାନେ ଓହ୍ଲାଇ ପଡ଼ିଥିବା ଶ୍ରମିକମାନେ କହିଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ୪ ଶହରୁ ଅଧିକ ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା।

You might also like