ବନ୍ୟାରେ ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ, ୧୭ ମୃତ

ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ। ୩୨୫୬ ଗାଁ ପ୍ରଭାବିତ। ଏଯାବତ୍ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ SRC।

ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ, ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ।

ସେହିପରି ୧୧୨ଟି ବ୍ଲକ, ୮୯୬ ପଞ୍ଚାୟତ, ୩୨୫୬ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟାରେ ୨୧ ULB ଓ ୭୫ ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ୧୪ ଲକ୍ଷ ୩୨ ହଜାର ୭୦୧ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ବନ୍ୟାରେ ଏଯାବତ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୧୦,୨୮୨ ଘର ଭାଙ୍ଗିଛି। ୧,୬୮,୯୦୪ ହେକ୍ଟର ଫସଲ ନଷ୍ଟ ହୋଇଛି। ୧୧ ଜିଲ୍ଲାରେ ୧୦୭ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଦ୍ଧାର କାର୍ଯ୍ୟରେ ୧୪ NDRF, ୧୭ ODRAF, ୨୨ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ୨୫୪ଟି ବୋଟ୍‌କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲଗାଯାଇଥିବା SRC କହିଛନ୍ତି।

ସେହିପରି ବନ୍ୟା ମୁକାବିଲା ପାଇଁ ୪୫ଟି ମେଡିକାଲ ଟିମ୍ ଓ ୪୨ଟି ଭେଟନାରୀ ଟିମ ମଧ୍ୟ କାର୍ଯ୍ୟ କରୁଛନ୍ତି।

You might also like