କଟକରେ ପୁଣି ଭେଜାଲ ସାମଗ୍ରୀ, ଜବତ ହେଲା ନକଲି ପନିର

କଟକ: ନକଲି ମସଲା, ହଳଦୀ, ଘିଅ ଓ ପୂଜା ସାମଗ୍ରୀ ପରେ ଏବେ କଟକରେ ନକଲି ପନିର ଜବତ ହୋଇଛି। କଟକ ଚାଉଳିଆଗଞ୍ଜ ପୋଲିସ୍‌ ଓ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଛି। କୋଲକାତାରୁ ଏକ ବସ୍‌ରେ ଚାଲାଣ ବେଳେ ଚାଉଳିଆଗଞ୍ଜରୁ ଏହାକୁ ଜବତ କରାଯାଇଛି।

ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କିଛି ବ୍ୟବସାୟୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଗତ କିଛି ମାସ ଧରି କଟକର ବିଭିନ୍ନ ସ୍ଥାନରେ ଲଗାତାର ଭାବେ ରେଡ୍ କରୁଛି ପୋଲିସ। କେତେବେଳେ ନକଲି ମସଲା ତ ଆଉ କେତେବେଳେ ନକଲି ଘିଅ ଓ ଆଉ କେତେବେଳେ ନକଲି ପୂଜା ସାମଗ୍ରୀ ଜବତ ହୋଇଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ନକଲି ସୋୟା ବଡ଼ି ତିଆରି କାରଖାନା ଠାବ କରାଯାଇଥିଲା। ଆର୍‌.ଏମ୍.ମିଲ୍ ନାଁରେ ଚାଲିଥିବା ଏହି କାରଖାନାରେ ତିଆରି ହେଉଥିଲା ଅପମିଶ୍ରିତ ସୋୟା ବଡ଼ି। ପୋଲିସ୍‌ ଏହି କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ସୋୟା ବଡ଼ି ସହ ବିଭିନ୍ନ ପ୍ରକାରର କଞ୍ଚାମାଲ୍ ଏବଂ କେମିକାଲକୁ ଜବତ କରିଥିଲା। ଏଠାରେ ପୋକରା ଚାଉଳ ଏବଂ ଅମୋନିଆ ବାଇକର୍ବୋନେଟ୍ ବ୍ୟବହାର କରି ସୋୟା ବଡ଼ି ତିଆରି କରାଯାଉଥିଲା। ସୋୟାବଡ଼ିକୁ ଫୁଲାଇ ରଖିବା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା।

ଗତ କିଛି ଦିନ ଭିତରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହେଲାଣି, ତାକୁ ନେଇ ସାଧାରଣ ଲୋକେ ଛାନିଆ ହୋଇଯାଇଛନ୍ତି। କହିବାକୁ ଗଲେ ସିଧାସଳଖ ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ।

You might also like