ଓଡ଼ିଶାରେ ୪୭ଟି ନମୁନାରୁ ୪୬ଟି ନେଗେଟିଭ, ୮୦ଟି ଦେଶରୁ ଆସିଛନ୍ତି ୨୧୩୧ ଲୋକ
ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ସନ୍ଦେହରେ ଯାଞ୍ଚ ହୋଇଥିବା ୪୭ଟି ନମୁନାରୁ ୪୬ଟି ରିପୋର୍ଟ ନେଗେଟିଭ ଆସିଛି। ଜଣଙ୍କ ରକ୍ତ ନମୁନା ହିଁ ପଜିଟିଭ ଆସିଛି। ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି। ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ।
ଏହା ସହ ସେ କହିଛନ୍ତି ଯେ, ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଆସିଛି। ଆଜି ୬ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ସେପଟେ ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବାଗଚୀ। ବିଦେଶରୁ ଆସିଥିବା ୨୧୩୧ ଲୋକ ୮୦ଟି ଦେଶରୁ ଫେରିଛନ୍ତି।
ବିଦେଶ ଫେରନ୍ତାଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଆସିଛନ୍ତି। ସର୍ବାଧିକ ଖୋର୍ଦ୍ଧା ଓ ଦ୍ୱିତୀୟରେ କଟକ ଜିଲ୍ଲାକୁ ଲୋକ ଆସିଥିବା ବାଗଚୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି। କେବଳ ଅସୁସ୍ଥ ହେଲେ, ଡାକ୍ତର କହିଲେ ମାସ୍କ ପିନ୍ଧନ୍ତୁ। ଯଦି ସାନିଟାଇଜର ନମିଳୁଛି, ସାବୁନରେ ହାତ ଧୋଇପାରିବେ ବୋଲି କହି ସଚେତନ କରାଇଛନ୍ତି ବାଗଚୀ।
ସେହିପରି କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ହୋମ୍ କ୍ୱାରେଣ୍ଟାଇନ ରହିବା। ଏହି ସଂଗରୋଧ ପଦ୍ଧତିକୁ ନେଇ କିଛି ଡରିବାର ନାହିଁ ବୋଲି ବାଗଚୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ଏବେ ପୁରୀ ଗଜପତି ଦିବ୍ୟସିଂହ ମହାରାଜା ବି ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ସମୟରେ ୧୪ ଦିନ ନିଜ ଦାୟିତ୍ୱ ନିଜକୁ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।