ଦିଲ୍ଲୀ ଯିବ ପରୀ ନ୍ୟାୟ ଲଢ଼େଇ; ସମ୍ବିତ ପାତ୍ର

ଭୁବନେଶ୍ୱର: ଦିଲ୍ଲୀ ଯିବ ପରୀ ଲଢ଼େଇ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଜାରି ରହିଥିବା ଲଢ଼େଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି।

ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି, କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ରକ୍ଷା କରୁଛନ୍ତି ବୋଲି ସମ୍ବିତ ଟ୍ୱିଟ୍ କରି କହିଛନ୍ତି। ଅରୁଣ ସାହୁଙ୍କ ଭଳି ନେତାଙ୍କୁ ପୋଲିସ ଜେଲରେ ରଖିବା ଦରକାର ବୋଲି କହିଛନ୍ତି ସମ୍ବିତ।

ପରୀକୁ ନ୍ୟାୟ ପାଇଁ  ଏବଂ ଅପରାଧୀକୁ ଦଣ୍ଡ ନମିଳିବା ଯାଏ ଏହି ଲଢ଼େଇ ବନ୍ଦ ହେବନି। ଧର୍ମ ଅଧର୍ମର ଏହି ଲଢ଼େଇ ନୟାଗଡ଼ରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି।

ଅନ୍ୟପଟେ ଆଜି ବି ବିଧାନସଭାରେ ପରୀ ହତ୍ୟା ଘଟଣାକୁ ନେଇ ତାତି ଦେଖା ଦେଇଛି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିରୋଧୀ ବିଜେପି। ଗୃହରେ ପରୀ ପ୍ରସଙ୍ଗ ଉଠାଇ ବିଜେପି କହିଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏପରିକି ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

କଂଗ୍ରେସ ମଧ୍ୟ ପରୀ ପ୍ରସଙ୍ଗରେ ଆଜି ସରକାରଙ୍କୁ ଘେରିଛି। ପରୀ ହତ୍ୟା ଘଟଣାରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତି ନେଇ ଆପତ୍ତି ଉଠାଇଛି ଦଳ। ଏ ପ୍ରସଙ୍ଗରେ ଚାରିଟି ଦିଗରୁ ବିବୃତି ରଖିବା ଲାଗି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିବାବେଳେ ମନ୍ତ୍ରୀ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇଥିଲେ। ଅନ୍ୟ ୩ଟି ଦିଗକୁ ଏଡ଼ାଇ ଯାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ଅଭିଯୋଗ ଆସିଥିବା କୃଷିମନ୍ତ୍ରୀଙ୍କ ସଂପର୍କରେ କିଛି କହିଲେ ନାହିଁ, ଏହାଛଡ଼ା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ଏସ୍ଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ସୃଷ୍ଟି ହେଉଥିବାରୁ ସ୍ପଷ୍ଟୀକରଣ ଦିଆଯାଉ ବୋଲି କଂଗ୍ରେସ ଦାବି କରିଥିଲା। ତେବେ କୋର୍ଟ ମନିଟରିଂରେ ଏସ୍ଆଇଟି ତଦନ୍ତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବା ପରେ କଂଗ୍ରେସ ନରମ ହୋଇଛି। ଏସ୍ଆଇଟି ତଦନ୍ତ ଯାଏ ଅପେକ୍ଷା କରାଯିବ ବୋଲି ନରସିଂହ କହିଛନ୍ତି।

ଏହାପରେ ରାଜ୍ୟ ସରକାର ଏସ୍‌ଆଇଟି ଟିମ୍ ଗଠନ କରିଥିଲେ। ଆଇଜି ଅରୁଣବୋଥ୍ରା ଏହ ଟିମ୍‌ରେ ମୁଖ୍ୟ ଅଛନ୍ତି।

You might also like