ଜମିବାଡ଼ି ବିବାଦରୁ ଗଣ୍ଡଗୋଳ; ପରିବାରର ୪ ମୃତ

ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ  ସିମଡେଗା ଜିଲ୍ଲାରେ।

ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ମହୁଲ ଗୋଟାଉଥିଲେ। ଏହି ସମୟରେ ତାଙ୍କ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଫଳରେ ବିବାଦ ବଢିଥିଲା।

ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରାଯାଇଥିଲା। ଏଥିରେ ବଡ଼ ଭାଇ ଓ ତାଙ୍କ ପୁଅ ଏବଂ ସାନ ଭାଇଙ୍କ ସ୍ତ୍ରୀ  ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

You might also like