ରାଜ୍ୟ ଓ ଦେଶର କିଛି ଟପ୍ ଖବର ସଂକ୍ଷେପରେ
ଖବର ସଂକ୍ଷେପରେ…
- ଜଟଣୀ ସୁଧାର ଗୃହରୁ ୨ ବାଂଲାଦେଶୀ ଯୁବତୀ ଚମ୍ପଟ
- ଏଥର IPL ନିଲାମରେ ସାମିଲ ହୋଇପାରନ୍ତି ୬ ଓଡ଼ିଆ କ୍ରିକେଟର
- ପାପଡ଼ାହାଣ୍ଡିରେ ସ୍ୱଚ୍ଛ ଭାରତ ଦୁର୍ନୀତି ପ୍ରତିବାଦରେ ଯୁବ କଂଗ୍ରେସର ଗର୍ଜନ
- ଗଛ ଉପରେ ଭାଲୁ ଚଢ଼ିଛି, ଦେଖିବାକୁ ଭିଡ଼ ଜମିଛି
- ରାଜ୍ୟରେ ଜାରି ରହିଛି ଟିକାକରଣ ଅଭିଯାନ
- ସେରମ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ; ପୁନାୱାଲା କହିଲେ କୋଭିସିଲ୍ଡ ୟୁନିଟର କ୍ଷତି ହୋଇନି
- ଫେସ୍ବୁକ୍ର ଡାଟା ଲିକ୍ ଘଟଣାରେ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ
- କର୍ଣ୍ଣାଟକ ବିସ୍ଫୋରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ୟେଦୁରପ୍ପା
ଜଟଣୀ ସୁଧାର ଗୃହରୁ ୨ ବାଂଲାଦେଶୀ ଯୁବତୀ ଚମ୍ପଟ
ଭୁବନେଶ୍ୱର: ଜଟଣୀ ସୁଧାର ଗୃହରୁ ୨ ବାଂଲାଦେଶୀ ଯୁବତୀ ଚମ୍ପଟ ମାରିଛନ୍ତି। ଏହି ଦୁଇ ଯୁବତୀ ରାତି ଅଧରେ ସୁଧାର ଗୃହରୁ କୁଆଡ଼େ ଖସି ପଳାଇଥିବା ସୂଚନା ମିଳିଛି। ପ୍ରାୟ ବର୍ଷକ ତଳେ ଲିଙ୍ଗରାଜ ଥାନା ଅଞ୍ଚଳରୁ ଧରାପଡ଼ିଥିଲେ ଏମାନେ। ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ ଏହି ଯୁବତୀମାନଙ୍କୁ ଧରିଥିଲା। ଏକ ଘର ଉପରେ ଚଢ଼ାଉ କରି ୮ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଯୁବତୀମାନଙ୍କୁ ଜଟଣୀ ଅଞ୍ଚଳର ଏକ ସୁଧାର ଗୃହରେ ରଖାଯାଇଥିଲା। ଏହି ୮ ଜଣଙ୍କ ମଧ୍ୟରୁ ଦୁଇ ଜଣ ଚମ୍ପଟ ମାରିଛନ୍ତି।
ଏଥର IPL ନିଲାମରେ ସାମିଲ ହୋଇପାରନ୍ତି ୬ ଓଡ଼ିଆ କ୍ରିକେଟର
କଟକ: ଏଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି ୬ ଓଡ଼ିଆ କ୍ରିକେଟର। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ଏହି ୬ କ୍ରିକେଟରଙ୍କ ନାଁ ସୁପାରିଶ କରିଛି। ଆସନ୍ତା ସିଜିନର ଆଇପିଏଲ୍ ନିଲାମରେ ଏମାନଙ୍କୁ ସାମିଲ କରିବା ପାଇଁ ଓସିଏ ସୁପାରିଶ କରିଛି। ଯଦି କେଉଁ ଦଳ ଏମାନଙ୍କୁ କିଣେ, ତେବେ ଆସନ୍ତା ସିଜିନରେ ଆଇପିଏଲ୍ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ। ୨୦୦୮ରୁ ଆଇପିଏଲ୍ ଆରମ୍ଭ ହୋଇଥିଲେ, ଏଯାଏ କୌଣସି ଓଡ଼ିଆ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡ଼ି ପାରି ନାହାନ୍ତି। ତେଣୁ ଏହି ୬ କ୍ରିକେଟରଙ୍କ ଉପରେ ଓସିଏର ଅନେକ ଆଶା ରହିଛି।
ପାପଡ଼ାହାଣ୍ଡିରେ ସ୍ୱଚ୍ଛ ଭାରତ ଦୁର୍ନୀତି ପ୍ରତିବାଦରେ ଯୁବ କଂଗ୍ରେସର ଗର୍ଜନ
ନବରଙ୍ଗପୁର: ନବରଙ୍ଗପୁର ପାପଡ଼ାହାଣ୍ଡିରେ ସ୍ୱଚ୍ଛ ଭାରତ ଦୁର୍ନୀତି ପ୍ରତିବାଦରେ ଯୁବ କଂଗ୍ରେସର ଗର୍ଜନ ସମାବେଶର ଆୟୋଜନ କରିଛି କଂଗ୍ରେସ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ସମାବେଶର ଆୟୋଜନ ହୋଇଛି। ନବରଙ୍ଗପୁରରୁ ପାପଡ଼ାହାଣ୍ଡି ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ବାଇକ ରାଲି କରିଥିଲେ। ଯୁବ କଂଗ୍ରେସ ଜାତୀୟ ସାମ୍ପାଦିକା ପ୍ରତିଭା ରାଜବଂଶୀ ସମାବେଶରେ ଯୋଗ ଦେଇଛନ୍ତି। ଏନେଇ ପ୍ରଦୀପ ମାଝୀ କହିଛନ୍ତି “ପାପଡ଼ାହାଣ୍ଡି ବ୍କକରେ ପ୍ରାୟ ୪୦ କୋଟି ଟଙ୍କାର ପାଇଖାନା ଦୁର୍ନୀତି ହୋଇଛି। ଏବଂ ପ୍ରାୟ ୮୦ କୋଟି ଟଙ୍କାର ଏନ୍ଆର୍ଜିଏସ୍ ଦୁର୍ନୀତି ହୋଇଛି। କିପରି ଭାବରେ ସରକାରୀ ଅଫିସରମାନେ ଏ ଅଞ୍ଚଳର ଟଙ୍କା ଲୁଟ୍ କରିଛନ୍ତି ତା ପ୍ରତିବାଦରେ ଯୁବ କଂଗ୍ରେସ, ଜିଲ୍ଲା କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟି ମିଳିତ ଭାବରେ ଅଭିଯାନ ଆରମ୍ଭ କରିଛି। ସାରା ଜିଲ୍ଲାରେ ଏହି ଅଭିଯାନ ଚାଲିବ।”
ଗଛ ଉପରେ ଭାଲୁ ଚଢ଼ିଛି, ଦେଖିବାକୁ ଭିଡ଼ ଜମିଛି
କୋରାପୁଟ: ଗଛ ଉପରେ ଭାଲୁ ଚଢ଼ିଛି, ଦେଖିବାକୁ ଭିଡ଼ି ଜମିଛି। ଦୀର୍ଘ ସମୟ ଧରି ଗଛରେ ଛପି ରହିଛି ଭାଲୁ। ଏହି ଜଙ୍ଗଲି ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ଗାଁର ଏ ଦୃଶ୍ୟ ଦେଖିବାକୁ ମିଳିଛି। ଗଛ ଉପରକୁ ଭାଲୁ ଚଢ଼ି ଯାଇଥିବାରୁ ଏହାକୁ ଦେଖିବାକୁ ଲୋକେ ଗହଳି ଲଗାଇଛନ୍ତି। ଭାଲୁଟି ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଚଢ଼ିଯାଇଛି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇଁ ବୋରିଗୁମ୍ମା ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛି ଭାଲୁକୁ ଉଦ୍ଧାର କରିଛି।
ରାଜ୍ୟରେ ଜାରି ରହିଛି ଟିକାକରଣ ଅଭିଯାନ
ଭୁବେନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ ଅଭିଯାନ। ଆଜି ଷଷ୍ଠ ଦିନ ପାଇଁ ଟିକାକରଣ ଜାରି ରହିଛି। ରାଜ୍ୟରେ ଥିବା ଦୁଇଟି କରୋନା ଟିକା କୋଭିସିଲ୍ଡ, କୋଭାକ୍ସିନ୍କୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଉଛି। ରାଜଧାନୀରେ ଉଭୟ କୋଭିସିଲ୍ଡ, କୋଭାକ୍ସିନ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ କୋଭିସିଲ୍ଡକୁ ଦିଆଯାଇଛି। ଭୁବନେଶ୍ୱରରେ ଗତକାଲି ହଜାରେ ୧୧୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ପ୍ରାୟ ୭୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୨୫ ତାରିଖ ସୁଦ୍ଧା ଟାଗେର୍ଟ ହାସଲ ହେବ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ।
ଫେସ୍ବୁକ୍ର ଡାଟା ଲିକ୍ ଘଟଣାରେ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଫେସ୍ବୁକ୍ର ଡାଟା ଲିକ୍ ମାମଲାରେ ସିବିଆଇର ମାମଲା ରୁଜୁ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଦେଇଥିବା ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା। ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ ଲକ୍ଷ ୬୨ ହଜାର ଭାରତୀୟ ମଧ୍ୟ ଥିଲେ। ୨୦୧୮ରେ ସେତେବେଳର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିବିଆଇ ତଦନ୍ତ କରାଯିବ ବୋଲି କହିଥିଲେ। କେମ୍ବ୍ରିଜ ଆନାଲିଟିକା ସହିତ ଆଉ ଏକ ସଂସ୍ଥା ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଫେସବୁକ କହିଛି, ବିନା ଅନୁମତିରେ ଗ୍ଲୋବାଲ ସାଇନ୍ସ ଲୋକଙ୍କର ତଥ୍ୟ ସଂଗ୍ରହ କରିଥିଲା। ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ଡାଟା ମଧ୍ୟ ବ୍ୟବହାର କରାଯାଇଥିଲା।
ସେରମ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ; ପୁନାୱାଲା କହିଲେ କୋଭିସିଲ୍ଡ ୟୁନିଟର କ୍ଷତି ହୋଇନି
ପୁଣେ: ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା। ଅଗ୍ନିକାଣ୍ଡରେ କୋଭିସିଲ୍ଡ ୟୁନିଟର କିଛି କ୍ଷତି ହୋଇନଥିବା ପୁନାୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିସିଲ୍ଡ ୟୁନିଟ, ଏହାର ଷ୍ଟକ୍ ଉପରେ ଅଗ୍ନିକାଣ୍ଡର କିଛି ପ୍ରଭାବ ପଡ଼ିନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଟିମ୍ ପହଞ୍ଚି ମାମଲାର ଖୋଳତାଡ଼ ଆରମ୍ଭ କରିଛି। ନିଆଁ କିପରି ଲାଗିଲା ? ଅଗ୍ନିକାଣ୍ଡକୁ ନେଇ କମ୍ପାନି କୋଠାରେ କି ପ୍ରକାର ବ୍ୟବସ୍ଥା ହୋଇଛି ସେ ନେଇ ତଦନ୍ତ ହେଉଛି। ଏକ ବୈଷୟିକ ଟିମ୍ ଘଟଣାସ୍ଥଳକୁ ଯାଇ ସବିଶେଷ ଯାଞ୍ଚ କରିଛି। ପୁଣେ ସେରମ ଇନଷ୍ଟିଚ୍ୟୁଟ ପରିସରରେ ଗତକାଲି ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
କର୍ଣ୍ଣାଟକ ବିସ୍ଫୋରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ୟେଦୁରପ୍ପା
ବେଙ୍ଗାଲୁରୁ: କର୍ଣ୍ଣାଟକ ଶିବମୋଗାରେ ଶକ୍ତିଶାଳୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା। ବିସ୍ଫୋରଣ କିପରି ହେଲା ? ଡିନାମାଇଟ୍ କିଏ ଓ କାହିଁକି ଆଣିଥିଲେ ସେ ନେଇ ତଦନ୍ତ କରାଯିବ। ଗତକାଲି ଶିବମୋଗାର ହୁନାସୋଣ୍ଡି ନିକଟ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରକ ହୋଇଥିଲା। ଟ୍ରକରେ ଡିନାମାଇଟ୍ ଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। ରାତି ସାଢ଼େ ୧୦ଟା ବେଳେ ଏକ ଭୟଙ୍କର ଶବ୍ଦ ହୋଇଥିଲା। ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।