ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ?

ଭୁବନେଶ୍ୱର: ଆକ୍ରୋଶ! ଅମାନବୀୟ! ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ? ଇଏ ତାର ଆଉ ଏକ ବଡ଼ ଉଦାହରଣ ବିନା ନୋଟିସ୍ କି ସୂଚନାରେ ସାରୁଅ ଜମି କିଣାବିକା ମାମଲାରେ ଅତି ଅମାନବୀୟ ଢଙ୍ଗରେ ଓଟିଭିର ଚିଫ୍ ଫାଇନାନ୍ସିଆଲ୍ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପୂର୍ବର ପୁରା ପ୍ରକ୍ରିୟାକୁ ଦେଖିଲେ ବାରି ହୋଇ ପଡିଛି କିଭଳି ଆଇନ୍‌ର ବ୍ୟବସ୍ଥାକୁ ଦଳିମକଚି ଦେଇଛି କ୍ରାଇମବ୍ରାଞ୍ଚ।

ମନୋରଞ୍ଜନଙ୍କ ଝିଅଙ୍କ ସୂଚନା ଅନୁସାରେ ଆଜି ଭୋରରୁ ହଠାତ୍ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ଘରେ ପହଞ୍ଚିଥିଲା। ସେତେବେଳେ ମନୋରଞ୍ଜନ ଶୋଇଥିଲେ ନିଦରୁ ଉଠାଇ ତାଙ୍କୁ ତତକ୍ଷଣାତ୍ ଜୋରଜବରଦସ୍ତ ଗାଡ଼ିରେ ବସାଇ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲା। ହେଲେ କେଉଁଠିକି ଓ କେଉଁ କାରଣ ପାଇଁ ମନୋରଞ୍ଜନଙ୍କୁ ଉଠାଇ ନେଉଛି ସେ ସମ୍ପର୍କରେ ଘର ଲୋକଙ୍କୁ ବିନ୍ଦୁ ବିସର୍ଗ ବି ଜଣାଇନଥିଲା କ୍ରାଇମବ୍ରାଞ୍ଚ।

ଏମିତିକି ମନୋରଞ୍ଜନ ଜଣେ ହାଇ ଡାଇବେଟିକ୍ ରୋଗୀ ହୋଇଥିଲେ ବି ତାଙ୍କୁ ଔଷଧ ଖାଇବାକୁ ବି ସୁଯୋଗ ଦେଇନଥିଲେ। ଦୀର୍ଘ ୯ଘଣ୍ଟା ପରେ ହଠାତ୍ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଭୁବନେଶ୍ୱର କୋର୍ଟକୁ ନେଇଥିଲା। ମେଡିକାଲ୍ ପରିସରରେ ମନୋରଞ୍ଜନ ଗଣମାଧ୍ୟମ ଆଗରେ କିଛି କହିବାକୁ ଚାହୁଁଥିଲେ ବି ସେ ସୁଯୋଗ ଦେଇନଥିଲା କ୍ରାଇମବ୍ରାଞ୍ଚ। କେଇପଦ ପ୍ରତିକ୍ରିୟାରେ ମନୋରଞ୍ଜନ କହିଥିଲେ-ତାଙ୍କ ସହ ଅମାନବୀୟ କାର୍ଯ୍ୟ କରାଯାଇଛି ନିର୍ଦ୍ଦୋଷରେ ହଇରାଣ କରାଯାଉଛି।

ସେପଟେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଥିବା ମନୋରଂଜନଙ୍କ ବୁଢ଼ୀ ମାଆ କହିଛନ୍ତି ତାଙ୍କ ପୁଅକୁ ନଛାଡ଼ିବା ଯାଏ ସେ କିଛି ବି ଖାଇବେନି

ଯେଉଁଭଳି ଢଙ୍ଗରେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଲା ଏବଂ ଜଣେ ଧର୍ତ୍ତବ୍ୟ ଅପରାଧୀ ଭଳି ତାଙ୍କ ସହ ବ୍ୟବହାର କଲା ସେ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ ଏପରି ଘଟଣା ଦ୍ୱାରା ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି।

ସେହିପରି ବରିଷ୍ଠ ଆଇନଜୀବୀ ସୌର୍ଯ୍ୟସୁନ୍ଦର ଦାଶ କହିଛନ୍ତି- ଯେଉଁ ମାମଲାରେ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି ସେଥିରେ ଏସ୍‌ସି-ଏସଟିଙ୍କ ଅଧିକାର ଆଦୌ କ୍ଷୁର୍ଣ୍ଣ ହୋଇନାହିଁ।

ଗୋଟିଏ ପରେ ଗୋଟିଏ ଘଟଣାରେ ଓଟିଭିକୁ ହଇରାଣ କରିବାକୁ ଲାଗିଛି। ସରକାରୀ କଳ-ବଳ-କୌଶଳ କୋଭିଡ୍ ହସ୍ପିଟାଲରେ ଅନୁଭବକୁ ନେଇ ଦୁଇ ଜଣଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓକୁ ନେଇ ହେଉ କି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଅବା ସାରୁଅ ଜମି କାରବାର ନିଇତି ଭିନ୍ନ ଭିନ୍ନ ମାମଲରେ ଛନ୍ଦି ଓଟିଭିର ବରିଷ୍ଠ ଅଧିକାରୀ ହୁଅନ୍ତୁ କି ସାମ୍ବାଦିକ, ଅଯଥା ଫସାଇବାକୁ ଚାଲିଛି ଅପଚେଷ୍ଟା।

ତେବେ ଆଜିର ଘଟଣା ସେ ସବୁକୁ ବଳିଯାଇଛି ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିରୋଧୀ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ସରକାରଙ୍କ ଏହା ଅହଙ୍କାର। ଓଟିଭିକୁ ଉଦ୍ଦେଶ୍ୟମୂଳକ ହଇରାଣ କରାଯାଉଥିବା ଜଳଜଳ ଦିଶୁଛି ଯାହାକି ବିନାଶ କାଳେ ବିପରୀତ ବୁଦ୍ଧି। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମଧ୍ୟ ଓଟିଭି ପ୍ରତି ଆକ୍ରୋଶକୁ ଅତ୍ୟନ୍ତ କଡ଼ା ଭାଷାରେ ନିନ୍ଦା କରିବା ସହ ଜମି ଜାଲିଆତିରେ ସଂପୃକ୍ତ ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଛ ବୋଲି ପ୍ରଶ୍ନ କରିଛନ୍ତି ସ୍ଥିତି ଯାହା, କେଉଁ ଦିନ ତାଙ୍କୁ ବି ଉଠାଇ ନିଆଯିବ ବୋଲି କହିଛନ୍ତି ସୁର।

ଓଟିଭି ସମସ୍ତ ଆଇନଗତ ପ୍ରକ୍ରିୟାରେ ତଦନ୍ତକାରୀ ସଂସ୍ଥାମାନଙ୍କୁ ସହଯୋଗ କରିଆସୁଛି କିନ୍ତୁ ଆଇନ୍‌ର ବାଟକୁ ମୋଡ଼ି ସମସ୍ତ ମାମଲାରେ  କ୍ଷମତାସୀନ ସରକାର ଜାଣିଶୁଣି ଓଟିଭି ବିରୋଧରେ ପ୍ରୟୋଗ କରିବାର ପ୍ରମାଣ ରୀତିମତ ଦେଖିବାକୁ ମିଳୁଛି।

You might also like