5T ଅଭିଯାନକୁ ଆଖିଠାର ମାରି ଆଗେଇ ଚାଲିଛି ପିସି କାରବାର

ଯାଜପୁର / ଭୁବନେଶ୍ୱର : ପିସି କାରବାରର ମୂଳୋତ୍ପାଟନ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଉଛନ୍ତି ଓ 5T ଅଭିଯାନକୁ ବି କ୍ରିୟାଶୀଳ କରୁଛନ୍ତି। ହେଲେ ପିସି ବ୍ୟାଧି ସରକାରୀ ବାବୁଙ୍କ ଶିରା ପ୍ରଶିରାରେ ଏମିତି ଚରିଯାଇଛି ଯେ, ବନ୍ଦ ହେବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି, ଯାହାର ସଦ୍ୟତମ ପ୍ରମାଣ ମିଳିଛି।

ଯାଜପୁରରୁ କୋରେଇ ବ୍ଲକର ଜେଇ, ଜଣେ ସମିତି ସଭ୍ୟଙ୍କୁ ପ୍ରକଳ୍ପ ବିଲ୍ ପାସ ଲାଗି କେମିତି ଖୋଲା ଖୋଲି ପିସି ମାଗୁଛନ୍ତି ତାର ପ୍ରମାଣ ଲାଗିଛି ଓଟିଭି ହାତରେ। ଆଉ ଜିଲ୍ଲାପାଳ କହିଛନ୍ତି, ସତ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ।

ଯାଜପୁର ଜିଲ୍ଲା ବନ୍ଦାଳୋ ପଞ୍ଚାୟତର ସମିତି ସଭ୍ୟ ନିଳାଦ୍ରୀ ଭୂଷଣ ସାହୁ, ଯିଏ ପିସି କମାଇବାକୁ କୋରେଇ ବ୍ଲକ୍ ଜେଇଙ୍କୁ କରୁଥିଲେ ନିବେଦନ। ହେଲେ ଜେଇ କିନ୍ତୁ ସଫା ସଫା ଶୁଣାଇଛନ୍ତି, ପିସି ନଦେଲେ ବିଲ୍ ପାସ୍‌ର ଚାନ୍ସ ନାହିଁ। ୬ ଲକ୍ଷ ୫୦ ହଜାର ଟଙ୍କାରେ ୨ଟି ପ୍ରକଳ୍ପର ବିଲ୍ ପାସ୍ କରାଇ ଦେବାକୁ ଜେଇ ମାଗିଛନ୍ତି ୮ ପରସେଣ୍ଟ। ହେଲେ ତାକୁ ୭ ପର୍‌ସେଣ୍ଟ କରିବାକୁ କାକୁତି ମିନତୀ ହୋଇଥିଲେ ସମିତି ସଭ୍ୟ। କିନ୍ତୁ ଜେଇ ଏତେ ବ୍ୟାକୁଳ ଯେ, ପିସି ବନ୍ଦ ହେଲେ ଠିକାଦାର ଘରୁ ଧାନ ବିକି କାମ କରିବେ ବୋଲି ଧମକ ଦେବାକୁ ବି ପଛାଇ ନଥିଲେ। ଆଉ ଜେଇଙ୍କ ସହ ତାଙ୍କର ହୋଇଥିବା ବାର୍ତ୍ତାଳାପକୁ ନିଜେ ସାର୍ବଜନୀନ କରିଥିବା କହିଛନ୍ତି ସମିତି ସଭ୍ୟ।

ଜଣେ ସମିତି ସଭ୍ୟଙ୍କୁ ଜେଇଙ୍କ ଖୋଲାଖୋଲି ପିସି ମାଗୁଥିବାର ଏ ପ୍ରମାଣ, ସତେ ଯେମିତି ମୁଖ୍ୟମନ୍ତ୍ରୀଙ୍କ ପିସି ମୂଳୋତ୍ପାଟନ ଆହ୍ୱାନକୁ ଧର୍ମକୁ ଆଖିଠାର ଭଳି ଲାଗୁଛି। ଆଉ ଇଏ ସେହି କାର୍ଯ୍ୟାଦେଶ, ଯାହାର ବିଲ୍ କ୍ଲିୟର ଲାଗି ପିସି ମାଗିଥିଲେ କୋରେଇ ଜେଇ। ୪ ଲକ୍ଷ ଟଙ୍କାରେ ମଙ୍ଗଳା ଠାକୁର ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ଓ ୨ ଲକ୍ଷ ୫୦ ହଜାରରେ ମଙ୍ଗଳେଶ୍ୱର ଗୋଷ୍ଠୀ କେନ୍ଦ୍ର ପାଚେରୀ ନିର୍ମାଣ ବାବଦ ଅର୍ଥ ମଞ୍ଜୁର ପାଇଁ ଏତେ ପାଲା।

ସେପଟେ ଜିଲ୍ଲାପାଳ କହିଛନ୍ତି ତଦନ୍ତ ରିପୋର୍ଟରେ ସତ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଦୁର୍ନୀତିଖୋର୍ ବାବୁଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଭାବ ହିଁ ପିସି ବ୍ୟାଧିର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି।

You might also like