ଶ୍ରୀ ଜୀଉଙ୍କୁ ଦର୍ଶନ କଲେ, କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କଲେ ରାଷ୍ଟ୍ରପତି
ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି
ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସପରିବାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଦେଶର ପ୍ରଥମ ନାଗରିକ। ଏଥିସହ ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟ ଲାଗି ଲକ୍ଷେ ଟଙ୍କା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଜଗନ୍ନାଥ ଦର୍ଶନ ସାରି କୋଣାର୍କ ଯାଇ ବ୍ଲାକ୍ ପାଗୋଡ଼ାର ସୌନ୍ଦର୍ଯ୍ୟକୁ ବି ଉପଭୋଗ କରିଥିଲେ କୋବିନ୍ଦ।
ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି। ୩ ଦିନିଆ ଓଡ଼ିଶା ଗସ୍ତ କାଳରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାକୁ ପୁରୀ ଗସ୍ତରେ ଯାଇଥିଲେ ଦେଶର ପ୍ରଥମ ନାଗରିକ। ଆଜି ସକାଳ ଠିକ୍ ୮ଟା ୫୦ ବେଳକୁ ରାଷ୍ଟ୍ରପତିଙ୍କୁ ନେଇ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନ। ସେଠାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ପୁରୀ ବିଧାୟକ, ଜିଲ୍ଲାପାଳ ଓ ଏସପି। ସେଠାରୁ ସିଧା ଶ୍ରୀମନ୍ଦିର ବାହାରିଥିଲା ରାଷ୍ଟ୍ରପତିଙ୍କ ବିଶାଳ କାରକେଡ୍। ମହାମହିମଙ୍କ ଗାଡ଼ି ସିଂହଦ୍ୱାର ସାମ୍ନାରେ ଲାଗିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ।
ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଛତିଶା ନିଯୋଗ ନାୟକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ୨୨ ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା ଲାଗି ଗର୍ଭଗୃହ ଯାଏଁ ଯାଇଥିଲେ ସପରିବାର। ରତ୍ନସିଂହାସନ ନିକଟରେ କାଳିଆକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ ରାଷ୍ଟ୍ରପତି। ପ୍ରାୟ ୪୦ ମିନିଟର ପୂଜାର୍ଚ୍ଚନା ପରେ ବେହରଣ ଦ୍ୱାର ଦେଇ ମୁକ୍ତିମଣ୍ଡପକୁ ଯାଇଥିଲେ ରାଷ୍ଟ୍ରପତି। ସେଠାରେ ବ୍ରାହ୍ଣଣଙ୍କ ସହ ଆଲୋଚନା ବେଳେ ବେଦମନ୍ତ୍ରରେ ମୁଖରିତ ହେଉଥିଲା ପରିବେଶ। ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସାରି ଲକ୍ଷ୍ମୀ ମନ୍ଦିର ମଣ୍ଡପରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି।
ଶ୍ରୀମନ୍ଦିର ହୁଣ୍ଡିରେ ଦକ୍ଷିଣା ପକାଇ ସାରି ଶ୍ରୀମନ୍ଦିର ବେଢା ପରିକ୍ରମା କରିଥିଲେ। ପରେ ପୁଣି ୨୨ ପାହାଚ ଦେଇ ସିଂହଦ୍ୱାର ବାଟେ ବାହାରକୁ ବାହାରିଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଉନ୍ନୟନ ଲାଗି ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏପଟେ ଶ୍ରୀମନ୍ଦିର ପ୍ରଶାସନ ବି ତାଙ୍କୁ ଭେଟି ଦେଇଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସମ୍ବଳିତ ଏକ ସୁନ୍ଦର ପଟ୍ଟଚିତ୍ର। ସେହିଭଳି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ନାରାୟଣ ଗୋଛିକାର ତାଙ୍କ ପିତାଙ୍କ ଦସ୍ତଖତ ଥିବା ଏକ ସ୍ମାରକୀ ପ୍ରଦାନ କରିଥିଲେ। ତେବେ କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତି କିନ୍ତୁ ଦସ୍ତଖତ ପୁସ୍ତିକାରେ ଦସ୍ତଖତ କରିନଥିଲେ। ତେବେ ଶ୍ରୀମନ୍ଦିର ଚୂଡ଼ାରେ ପତିତପାବନ ବାନା ଲଗାଇବାକୁ ଚାହିଁବାରୁ ତାଙ୍କ ନାଁରେ ଏକ ସ୍ୱତନ୍ତ୍ର ଧ୍ୱଜା ବନ୍ଧା ଯାଇଥିଲା। ଦିନ ପ୍ରାୟ ୧୦ଟା ୨୦ ବେଳକୁ ବଡ଼ଦାଣ୍ଡ ଛାଡ଼ିଥିଲା ରାଷ୍ଟ୍ରପତିଙ୍କ କାରକେଡ୍।
ପୁରୀରୁ ବାହାରିବାର କିଛି ସମୟ ଭିତରେ କୋଣାର୍କରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ ବିମାନ। ମହାମହିମଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତ ରହିଥିଲା ଅର୍କକ୍ଷେତ୍ର। ସପରିବାର ବ୍ୟାଟେରୀ ଚାଳିତ ଗାଡ଼ିରେ ବୁଲିବା ବେଳେ କୋଣାର୍କର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ ରାଷ୍ଟ୍ରପତି। ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ୍ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗହଣରେ ବ୍ଲାକ୍ ପାଗୋଡ଼ାର ଅପରୂପ ସୌନ୍ଦର୍ଯ୍ୟକୁ ପ୍ରାୟ ୩୦ ମିନିଟ୍ ଧରି ଉପଭୋଗ କରିବା ପରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ ରାଷ୍ଟ୍ରପତି। ଏହି ଅବସରେ ସେ କୋଣାର୍କର କାହାଣୀ ଉପରେ ନିର୍ମିତ ଏକ ସର୍ଟଫିଲ୍ମ ଦେଖିବା ସହ ଓଡ଼ିଶାରେ ଇଣ୍ଡିଆନ୍ ଅଏଲର ବିଭିନ୍ନ ପ୍ରକଳ୍ପ ବାବଦରେ ବି ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରେ ସ୍ଥାନୀୟ ଯାତ୍ରୀ ନିବାସରେ ଭୋଜନ ଓ ବିଶ୍ରାମ ଲାଗି ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାନ କରିଥିଲେ ରାଷ୍ଟ୍ରପତି।
କୋଣାର୍କରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ସିଧାସଳଖ ପହଞ୍ଚିଥିଲେ ଭୁବନେଶ୍ୱର ବିମାନ ବନ୍ଦରରେ। ସେଠାରୁ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସିବ, ଡିଜିପି ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ତିନିଦିନିଆ ଗସ୍ତ ସାରି ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅପରାହ୍ନ ପ୍ରାୟ ୪ଟା ୫୫ ମିନିଟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।
ପୁରୀରୁ ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି ଏବଂ କୋଣାର୍କରୁ ସଞ୍ଜୟ ପତିଙ୍କ ରିପୋର୍ଟ