ସଟ୍‌ଡାଉନ୍‌ରେ ରାଜଧାନୀରେ ମାତିଛନ୍ତି ମଦ୍ୟପ, ଡ୍ୟୁଟି ସାରି ଫେରୁଥିବା ବେଳେ OTV ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଗୁଣ୍ଡାରାଜ। ସଟ୍‌ଡାଉନ୍‌ରେ ବି ମାତିଛନ୍ତି ମଦ୍ୟପ। ରାତିରେ ଡ୍ୟୁଟି ସାରି ଫେରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏଭଳି ମଦ୍ୟପଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ନିତେଶ ସାହୁ।

ସୂଚନା ଅନୁସାରେ, ଗତକାଲି ରାତିରେ ନିତେଶ ଡ୍ୟୁଟି ସାରି ଘରକୁ ଫେରୁ ଥିବାବେଳେ ଭୁବନେଶ୍ୱର ଜୟଦେବ ବିହାର ଛକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। କିଛି ମଦ୍ୟପ ଓ ଅସମାଜିକ ବ୍ୟକ୍ତି ମିଶି ତାଙ୍କୁ ମାଡ଼ ମାରିବା ସହ ମୋବାଇଲ୍ ଛଡ଼ାଇ ରଖିଥିଲେ। ସବୁଠୁ ବଡ଼ କଥା ହେଉଛି, ଏନେଇ ନିତେଶ ପିସିଆରକୁ ଖବର ଦେବା ପରେ ବି ସଠିକ୍ ସମୟରେ ପୋଲିସ୍ ପହଞ୍ଚି ନଥିବା ସେ ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତମାନେ ନିତେଶଙ୍କ ପରିଚୟ ଜାଣିବା ପରେ ଘଟଣାସ୍ଥଳରୁ ପଳାଇ ଥିଲେ। ହେଲେ ଘଟଣାର କିଛି ସମୟ ପରେ ପୁଣି ଥରେ ପୋଲିସ୍‌ରୁ ଏନେଇ ନିତେଶଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା। ଏନେଇ ସମସ୍ତ ତଥ୍ୟ ଜଣାଇବା ପରେ ବି ଅଭିଯୁକ୍ତଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଟେର ପାଇନି ପୋଲିସ୍। ଅନ୍ୟପକ୍ଷେ, ଘଟଣାକୁ ନେଇ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

You might also like