‘OTVକୁ ସାଂଘାତିକ ହଇରାଣ କରାଯାଉଛି’

ଭୁବନେଶ୍ୱର: ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହେବା ପରେ ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି। ଆଉ ରାଜ୍ୟରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ତେବେ ପ୍ରଥମ ଥର ଲାଗି ତାଙ୍କୁ ସାଙ୍ଘାତିକ ଭାବେ ହଇରାଣ କରାଯାଉଥିବା ସେ ଅନୁଭବ କରୁଥିବା କହିଛନ୍ତି।

ସେ ଆହୁରି କହିଛନ୍ତି, ଓଟିଭି ଏବେ ବି ରାଜ୍ୟର ସବୁଠାରୁ ଅଧିକ ଦର୍ଶକ ଦେଖୁଥିବା ନ୍ୟୁଜ୍ ଚ୍ୟାନେଲ।  ଏହାସତ୍ତ୍ୱେ ଓଟିଭିକୁ ହଇରାଣ କରାଯାଉଛି। ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରାଯିବା ସହ ବିଭିନ୍ନ ଦିଗରୁ ଆକ୍ରମଣ ହେଉଛି।

ଜଗି ସ୍ପଷ୍ଟ କରି କହିଛନ୍ତି ଯେ, ଓଟିଭିର ମ୍ୟାନେଜମେଣ୍ଟ କେବେ ବି ନ୍ୟୁଜ୍‌ରେ ହସ୍ତକ୍ଷେପ କରେ ନାହିଁ। ଓଟିଭିର ଚାର୍ଟର ଅନୁଯାୟୀ, ଏହାର ସାମ୍ବାଦିକମାନେ ବୃତ୍ତିଗତ ଭାବେ ଖବର ପରିବେଷଣ କରନ୍ତି।

OTV ବିରୋଧରେ ଆସିଥିବା ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସ୍ତାବ ନେଇ ବିଧାନସଭା କମିଟି ଆଗରେ ଜଗି ମଙ୍ଗତ ପଣ୍ଡା ଆଜି ହାଜର ହୋଇଥିଲେ।

ଅନ୍ୟପକ୍ଷରେ ଶୁଣାଣି ପରେ ସ୍ୱାଧିକାର କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି ପ୍ରସଙ୍ଗରେ ଯାଞ୍ଚ ଚାଲିଛି। ପୁଣି ଆଉ ଏକ ତାରିଖରେ ଏନେଇ ଶୁଣାଣି କରାଯିବ।

ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ।

You might also like