ରାଜଧାନୀରେ ସକ୍ରିୟ ସେକ୍ସ ମାଫିଆ, ଅନ୍‌ଲାଇନ୍‌ରେ ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର: ରାଜଧାନୀରେ ସକ୍ରିୟ ହୋଇପଡ଼ିଛନ୍ତି ସେକ୍ସ ମାଫିଆ। ଭୁବନେଶ୍ୱରରେ କାୟା ବିସ୍ତାର କରୁଛି ଦେହ ବ୍ୟବସାୟ। ଇଣ୍ଟରନେଟ୍ ଓ ହ୍ୱାଟ୍‌ସଆପ୍ ଭଳି ସୋଶାଲ୍ ମିଡିଆକୁ ବ୍ୟବହାର କରି ସେକ୍ସ ଦଲାଲ ଧନ୍ଦା ବଢ଼ାଇ ଚାଲିଛନ୍ତି।  ୱେବ୍‌ସାଇଟ୍‌ରେ ଆଡ୍‌ଭାଟାଇଜମେଣ୍ଟ, ହ୍ୱାଟ୍‌ସଆପ୍‌ରେ ଡିଲ୍ ହେଉଛି।

ସୋଶାଲ୍ ମିଡିଆ ଦେହ ଦଲାଲ୍‌ଙ୍କ ପାଇଁ ଗ୍ରାହକ ଯୋଗାଡ଼ ଅତି ସହଜ କରିଦେଇଛି। କେମିତି ଅନ୍‌ଲାଇନ୍‌ରେ ଜାଲ ବିଛାଇଛନ୍ତି ସେକ୍ସ ଦଲାଲ୍ ଜାଣିବା ପାଇଁ ପ୍ରୟାସ କରିଛି ଓଟିଭି ଇନ୍‌ଭେଷ୍ଟିଗେସନ୍‌ ଟିମ୍।

ଭୁବନେଶ୍ୱରରେ ଦେହ ବେପାର ପାଇଁ ଅନେକ ୱେବ୍ ସାଇଟ୍ ରହିଛି। ଏଭଳି ଏକ ୱେବସାଇଟ୍‌ରୁ ନମ୍ବର୍ ଆଣି ଦଲାଲ୍‌ଙ୍କ ସହ ଯୋଗାଯୋଗ କରିଥିଲେ ଆମ ରିପୋର୍ଟର।

ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି ପୂରା ପ୍ୟାକେଜ୍। ଯୁବତୀଙ୍କ ସହ ରୁମ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା ସାଙ୍ଗକୁ ପୁଲିସ୍‌ଠାରୁ ଅଭୟ। ଏମିତିକି ଦଲାଲ୍‌ମାନେ ନିଜେ ଗ୍ରାହକଙ୍କୁ ସୁରକ୍ଷା ଦେଉଛନ୍ତି। ଦଲାଲ୍‌ଙ୍କ କହିବା ଅନୁସାରେ ସେକ୍ସ ରାକେଟ୍ ଚଳାଇବାକୁ ହେଉଛି ପୂରା ସେଟିଂ। ମାନେ ପୁଲିସ୍, ପ୍ରଶାସନ ବି ଏଥିରେ ଭାଗିଦାରୀ ସେହିଭଳି ହୋଟେଲ୍ ଓ ଲଜ୍‌ଗୁଡ଼ିକରେ ବି ବେଧଡ଼ିକ ଚାଲିଛି ଦେହ ବ୍ୟବସାୟ।

ପୁଲିସ୍‌କୁ ଚକ୍ମା ଦେବାକୁ ଦେହ ଦଲାଲ୍ ଖୋଜିଛନ୍ତି ନୂଆ ବାଟ। ବଡ଼ ବଡ଼ ଆପାର୍ଟମେଣ୍ଟରେ ଫ୍ଲାଟ୍ ଭଡ଼ା ନେଇ ନିର୍ଭୟରେ ବେପାର କରୁଛନ୍ତି। ଅନ୍ୟପଟେ ରାଜଧାନୀରେ ଅନ୍‌ଲାଇନରେ ଦେହ ବ୍ୟବସାୟ ବଢ଼ୁଥିବା ନେଇ ପୁଲିସ୍ ଅବଗତ ଥିବା କମିଶନର କହିଛନ୍ତି। ଏହା ଉପରେ ରୋକ୍ ଲଗାଇବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

 

 

You might also like