ଓଷ୍ଟାର ଚେତାବନୀ: ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ ହୋଇଥିଲା।  ଫେବୃଆରୀ ଶେଷ ଆଡ଼କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ। ଏନେଇ ବିଭାଗୀୟ ସ୍ତରରେ ପ୍ରସ୍ତୁତ ଆରମ୍ଭ ହେଲାଣି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିଲେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ କିଭଳି ଗାଇଡ୍‌ଲାଇନ୍‌ ପାଳନ କରି କ୍ଲାସ୍‌ କରିବେ ତାହା ଏବେ ଚାଲେଞ୍ଜର ବିଷୟ। ତେବେ ଯେବେବେଳେ ସ୍କୁଲ ଖୋଲିଥିଲା, ସେତେବେଳେ ଗାଇଡ୍‌ଲାଇନ୍ ଅନୁସାରେ ରବିବାର କ୍ଲାସ୍‌ କରାଯିବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଶିକ୍ଷକ ମାନେ ମଧ୍ୟ ରବିବାର ସ୍କୁଲକୁ ଆସି କ୍ଲାସ୍ କରୁଥିଲେ।

କିନ୍ତୁ ଶିକ୍ଷକଙ୍କ ଉପରେ ଅଧିକ ବୋଝ ପଡୁଥିବାରୁ ଏଥିଲାଗି ରବିବାର ଶିକ୍ଷାଦାନ ବନ୍ଦ କରି ମାର୍ଚ୍ଚରେ ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ଦାବି କରିଛି। ରବିବାର ଛୁଟି ନ ମିଳିଲେ ଏହାକୁ ବିରୋଧ କରାଯିବ ବୋଲି ଓଷ୍ଟା ରୋକ୍‌ଠୋକ୍ କହିଛି।

ଓଷ୍ଟା ପକ୍ଷରୁ ଆଜି ଦାବି କରାଯାଇଛି ଯେ ଶିକ୍ଷାଦାନରେ ଅସହଯୋଗ ସହ ଆଇନର ଆଶ୍ରୟ ନେବୁ।
ଆମେ ଗୋତି ଶ୍ରମିକ ନୁହେଁ, ୬ ଦିନ କାମ ପରେ ଦିନେ ଛୁଟି ଆମ ଅଧିକାର। ୬ ଦିନ ଯାଏଁ ଏକ ଘଣ୍ଟା ଅଧିକ ପଢ଼େଇବାକୁ ରାଜି, କିନ୍ତୁ ରବିବାର ଛୁଟି ମିଳୁ।

ଅଙ୍ଗନବାଡି କେନ୍ଦ୍ରଗୁଡିକ ଖୋଲିସାରିଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟ ସଠିକ୍ ସମୟରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏସ୍‌ଆର୍‌ସି ମଧ୍ୟ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରାଥମିକ ଶିକ୍ଷା ଲାଗି ସରକାରଙ୍କ ଅନୁମୋଦିତ ଏସ୍ଓପି ସହ କ୍ଲାସ୍ ରୁମ୍ ଶିକ୍ଷାଦାନ ଆରମ୍ଭ ହୋଇପାରିବ।

ଯେହେତୁ ଏସ୍‌ଆର୍‌ସି ତାଙ୍କ ମାର୍ଗଦର୍ଶିକାରେ ଦେଇସାରିଛନ୍ତି, ଏଥିରେ ସ୍କୁଲ ଖୋଲିବାର କୌଣସି ସମସ୍ୟା ନାହିଁ। ଅଙ୍ଗନବାଡି ବି ଖୋଲିସାରିଲାଣି। ଏନେଇ ଏସ୍‌ଓପି ପ୍ରସ୍ତୁତ କରାଯାଉଛି। ଏନେଇ କଣ ହୋଇପାରିବ, ସେନେଇ ସରକାର ଚିନ୍ତା କରିବେ।
-ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ପ୍ରାୟ ୪୮ ହଜାର ପ୍ରାଥମିକ ସ୍କୁଲ୍ ଥିବାବେଳେ ପିଲା ସଂଖ୍ୟା ୬୦ ଲକ୍ଷରୁ ଅଧିକ। ଏବେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ପିଲାଙ୍କୁ ନେଇ କଣ ସକାଳ ୧୦ ରୁ ଅପରାହ୍ନ ୪ ପାଠ ପଢାଇବା ସମ୍ଭବ ହୋଇପାରିବ? ନା ନବମ ଓ ଏକାଦଶ ଶ୍ରେଣୀ ଭଳି ଲିମିଟେଡ୍ ପିରିୟଡରେ ପାଠ ପଢାଯିବ? ଗହଳି ରୋକିବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପର୍ଯ୍ୟାୟ କ୍ରମେ କ୍ଲାସ୍ ବ୍ୟବସ୍ଥା ହୋଇପାରେ କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏସ୍ଓପି ଆସିବା ପରେ ସ୍ପଷ୍ଟ ହେବ।

ସେପଟେ ଅଭିଭାବକ ସଂଘ ଯଥାଶୀଘ୍ର ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ବି ଅଗଷ୍ଟରୁ ନୂଆ କ୍ୟାଲେଣ୍ଡରରେ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଯୁକ୍ତି ରଖିଛି।

ରବିବାର ଦିନ ଶିକ୍ଷାଦାନ ବନ୍ଦ ରଖାଯାଉ। ଅଧିକ ପାଠପଢା ଯୋଗୁଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଶରୀର ଉପରେ ପ୍ରଭାବ ପଡୁଛି। ମହିଳା ଶିକ୍ଷୟିତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଛାତ୍ରଛାତ୍ରୀ ମାନେ ପାଠପଢାରେ ମନ ଦେଉନାହାନ୍ତି। ଆସନ୍ତା ମାସରୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ କୋଲିବା ନିହାତି ଭାବେ ଆବଶ୍ୟକତା ରହିଛି।
-ପ୍ରକାଶ ମହାନ୍ତି, ସମ୍ପାଦକ, ଓଷ୍ଟା (ପୂର୍ବ ପ୍ରତିକ୍ରିୟା)
ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଗୋଟିଏ କ୍ୟାଲେଣ୍ଡର ପାଇଁ ଆମେ ଅନୁରୋଧ କରୁଛୁ। ଏହି ଛାତ୍ରଛାତ୍ରୀମାନେ ୨-୩ମାସ ପାଠ ପଢିବାର ଆବଶ୍ୟକତା ରହିଛି। ଆମେ ମାର୍ଚ୍ଚ ୧ରୁ ଖୋଲିବା ପାଇଁ ଅନୁରୋଧ କରିଥିଲୁ। ଯଦି ସରସ୍ୱତୀ ପୂଜା ପରେ ସ୍କୁଲ କୋଲୁଛି ତାହାହେଲେ ଆମେ ସ୍ୱାଗତ କରିବୁ।
-ବାସୁଦେବ ଭଟ୍ଟ, ଅଧ୍ୟକ୍ଷ, ଓଡ଼ିଶା ଅଭିଭାବକ ମହାସଂଘ

ଏଭଳି ସ୍ଥିତିରେ ନବମ ଓ ଏକାଦଶ ଶ୍ରେଣୀ ସୋମବାରରୁ ଠୁ ଖୋଲିବ। ଶିକ୍ଷକ ଅଭାବ ଦୂର କରିବାକୁ ଅବସରପ୍ରାପ୍ତ ଶିକ୍ଷକ ଓ ଦକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରାଯିବ। ଅଗ୍ରାଧିକାର ଭିତ୍ତିରେ ଗଣିତ, ବିଜ୍ଞାନ, ଇଂରାଜୀ ଓ ସାମାଜିକ ବିଜ୍ଞାନ ବିଷୟକୁ ପଢାଯିବ।

ରିପୋର୍ଟ: କିରିଟି ଦାଶ ଓ ଜଗଦୀଶ ଦାସ
You might also like