ରବିବାର ସ୍କୁଲ ଖୋଲିଲେ ଆମେ ଆସିବୁନି: ଓଷ୍ଟା

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ତେବେ ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ ସମୟକୁ ଓଷ୍ଟା ବିରୋଧ କରିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଖାଲି ସେତିକି ନୁହଁ, ଏଣିକି ଆଉ ରବିବାର ସ୍କୁଲ ନଆସିବାକୁ ଓଷ୍ଟାର ଚରମ ନିଷ୍ପତ୍ତି ନେଇଛି। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସେଥିପାଇଁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ପାଇଁ ସଂଘ ଦାବି କରିଛି। ସ୍କୁଲ ସମୟ ସକାଳ ୬ଟା ୩୦ରୁ ଦିନ ୧୧ଟା ୩୦ କରିବାକୁ ସଂଘ ଦାବି କରିଛି।

କରୋନା ଯୋଗୁଁ ହୋଇଥିବା ଲକ୍‌ଡାଉନ୍‌ ଫଳରେ ଅନେକ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ କରିଥିଲେ। ତେବେ ଯେବେବେଳେ ସ୍କୁଲ ଖୋଲିଥିଲା, ସେତେବେଳେ ଗାଇଡ୍‌ଲାଇନ୍ ଅନୁସାରେ ରବିବାର କ୍ଲାସ୍‌ କରାଯିବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଶିକ୍ଷକ ମାନେ ମଧ୍ୟ ରବିବାର ସ୍କୁଲକୁ ଆସି କ୍ଲାସ୍ କରୁଥିଲେ। ଏନେଇ ସେସମୟରେ ଓଷ୍ଟା ବିରୋଧ କରି ଆସୁଥିଲା।

ଶିକ୍ଷକଙ୍କ ଉପରେ ଅଧିକ ବୋଝ ପଡୁଥିବାରୁ ଏଥିଲାଗି ରବିବାର ଶିକ୍ଷାଦାନ ବନ୍ଦ କରି ମାର୍ଚ୍ଚରେ ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ଦାବି କରିଥିଲା। ରବିବାର ଛୁଟି ନ ମିଳିଲେ ଏହାକୁ ବିରୋଧ କରାଯିବ ବୋଲି ଓଷ୍ଟା ରୋକ୍‌ଠୋକ୍ କହିଥିଲା। ଓଷ୍ଟା ପକ୍ଷରୁ ଦାବି କରିଥିଲା ଯେ ଶିକ୍ଷାଦାନରେ ଅସହଯୋଗ ସହ ଆଇନର ଆଶ୍ରୟ ନେବୁ। ଆମେ ଗୋତି ଶ୍ରମିକ ନୁହେଁ, ୬ ଦିନ କାମ ପରେ ଦିନେ ଛୁଟି ଆମ ଅଧିକାର। ୬ ଦିନ ଯାଏଁ ଏକ ଘଣ୍ଟା ଅଧିକ ପଢ଼େଇବାକୁ ରାଜି, କିନ୍ତୁ ରବିବାର ଛୁଟି ମିଳୁ ବୋଲି ଦାବି କରିଥିଲେ।

You might also like