ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର: ୧୯୯୨ ବ୍ୟାଚ୍ର ଓଡ଼ିଆ IAS ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ IAS ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁବ୍ରତ ସାହୁ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇଟି, ବାଣିଜ୍ୟ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି। ଏହାପୂର୍ବରୁ ସେ ଛତିଶଗଡ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରିଥିଲେ।
ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ବି ହୋଇଥିଲେ ସୁବ୍ରତ ସାହୁ। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କର ପୁଅ ହେଉଛନ୍ତି ସୁବ୍ରତ। ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ସେ ପ୍ରଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି।