ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ହାଇକୋର୍ଟ

କଟକ: ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ। ଏହା ସହ ମାମଲାର ପୁନଃ ଶୁଣାଣୀ ପାଇଁ ଅନୁଗୁଳ ପୋକ୍ସୋ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାନୁଆରୀ ୨୦ ତାରିଖରେ ଅନୁଗୁଳ ଥାନା ଅଧୀନରେ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଶ୍ରୀନିବାସ ଦେଉରି ଓରଫ୍ ଅନାମ ଦେଉରିକୁ ଅଭିଯୁକ୍ତ ଦର୍ଶାଇ ପୋଲିସ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର କରି ସେହି ବର୍ଷ ଜୁଲାଇ ୨୬ ତାରିଖରେ ଅନୁଗୁଳ ପୋକ୍ସୋ କୋର୍ଟ ଅଭିଯୁକ୍ତ ଶ୍ରୀନିବାସ ଦେଉରୀ କୁ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।

ମୃତ୍ୟୁ ଦଣ୍ଡାଦେଶର ଅନୁମୋଦନ ପାଇଁ ସରକାର ହାଇକୋର୍ଟ ଆସିଥିବା ବେଳେ ମୃତ୍ୟୁ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟରେ ଅପିଲ ଦାଖଲ କରିଥିଲା। ସିଆରପିସିର ଧାରା ୩୧୩ ଅନୁଯାୟୀ ନିମ୍ନ ଅଦାଲତ ଅଭିଯୁକ୍ତର ବୟାନ ରେକର୍ଡ ସମୟରେ ଅଭିଯୁକ୍ତଙ୍କୁ କିଛି ପଚାରି ନଥିଲେ। କିନ୍ତୁ ସେ ସବୁ ପ୍ରସଙ୍ଗ କୁ ଆଧାର କରି ଏହି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ, ଯାହାକି ଆଇନର ପରିପନ୍ଥୀ ବୋଲି ସେ ଆବେଦନରେ ଦର୍ଶାଇଥିଲେ।

ଏହା ଛଡା ପାରିପାର୍ଶ୍ୱିକ ପ୍ରମାଣ ପ୍ରସଙ୍ଗକୁ ଅଣଦେଖା କରାଯାଇଥିବା ଆବେଦନରେ ଉଲ୍ଲେଖ କରିଥିଲେ। ଉଭୟ ଆବେଦନର ବିଚାର କରି ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିବା ସହ ପୁନଃ ଶୁଣାଣୀ ପାଇଁ ଅନୁଗୁଳ ପୋକ୍ସୋ କୋର୍ଟକୁ ପଠାଇ ଦେଇଛନ୍ତି।

You might also like