ଅଞ୍ଜନା ଗଣଦୁଷ୍କର୍ମ ଘଟଣା: ତଦନ୍ତ ଶିଥିଳତା ଓ ଷଡ଼ଯନ୍ତ୍ର ମାମଲାର ପରିସମାପ୍ତି କଲେ ହାଇକୋର୍ଟ

କଟକ: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଆଗତ ଏକ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ। ଘଟଣାରେ ସିବିଆଇ ତଦନ୍ତର ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ୧୯ ବର୍ଷ ତଳେ ନିଜେ ଅଞ୍ଜନା ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହାର ପରିସମାପ୍ତି ଘଟାଇଛନ୍ତି।

୨୦୦୨ ମସିହାରେ ଅଞ୍ଜନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଏଥିରେ ସେ ଉଭୟ ରାଜ୍ୟ ସରକାର ଏବଂ ସିବିଆଇ ପକ୍ଷ ରଖିଥିଲେ। ଏବେ ଫେରାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଗିରଫ କରାଯାଇଛି । ଯେଉଁମାନଙ୍କ ନାମରେ ଅଞ୍ଜନା ଷଡ଼ଯନ୍ତ୍ର ଅଭିଯୋଗ  ଆଣିଥିଲେ ସେ ଦୁଇଜଣଙ୍କର ମଧ୍ୟ ଏହା ଭିତରେ ମୃତ୍ୟୁ ହୋଇ ଯାଇଛି। ତେଣୁ ଏହି ମାମଲାକୁ ଚଳାଇବାର ଆବଶ୍ୟକତା ନାହିଁ ବୋଲି ଉଭୟ ରାଜ୍ୟ ସରକାର ଓ ସିବିଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହାକୁ ଶୁଣିବା ପରେ ମାମଲାକୁ ଆଉ ଆଗକୁ ବଢ଼ାଇବାର ଆବଶ୍ୟକତା ନଥିବାର ଅନୁଭବ କରି କୋର୍ଟ ଏହି ମାମଲାର ପରିସମାପ୍ତି ଘଟାଇଛନ୍ତି।

ମୁଖ୍ୟ ଅଭିଯୁକ୍ତ ବିବନ୍‌ର ଗିରଫଦାରୀ ପରେ ଏବେ ଭୁବନେଶ୍ୱର ସିଜେଏମ୍ ସିବିଆଇ କୋର୍ଟରେ ଏହି ମାମଲା ରହିଛି।

ସୂଚନାଥାଉ କି, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କିଛିଦିନ ତଳେ କମିଶନରେଟ୍ ପୋଲିସ ଗିରଫ କରିଥିଲା। ୨୨ ବର୍ଷ ହେବ ବିବନ୍‌ ଫେରାର ଥିଲେ। ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ବିବନ ରହୁଥିଲେ। ପାଣି ମିସ୍ତ୍ରୀ ଭାବେ ସେଠି ସେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇ ରହୁଥିଲେ।

ଅନ୍ୟପକ୍ଷରେ, କିଛିଦିନ ତଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ବିବନ୍‌ଙ୍କ‌ ପତ୍ନୀ କହିଥିଲେ,  ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ନଥିଲା। କିଛି ପଇସାପତ୍ର ଦେଇ ନାହାନ୍ତି। ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ପାଳିଛି।

You might also like