ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ୯ଟି ପୂଜା କମିଟିକୁ ମିଳିଲା ସ୍ୱତନ୍ତ୍ର ଅନୁମତି

କଟକ: କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ୯ଟି ପୂଜା କମିଟିକୁ ସ୍ୱତନ୍ତ୍ର ଅନୁମତି ଦେଇଛନ୍ତି। ଏହି ଅନୁମତି ଅନୁସାରେ, ୯ଟି ପୂଜା କମିଟି ମା’ ଦୁର୍ଗାଙ୍କ ମୂର୍ତ୍ତି ୪ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ କରିପାରିବେ। ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ଏହି ସ୍ୱତନ୍ତ୍ର ଅନୁମତି କୋର୍ଟ ଦେଇଛନ୍ତି।

ତେବେ ଅନୁମତି ସହ ଦୁଇଟି ସର୍ତ୍ତ ରଖିଛନ୍ତି କୋର୍ଟ। ମୂର୍ତ୍ତି ଉଚ୍ଚତାକୁ ଅନୁମତି ମିଳିଥିଲେ ବି ବିସର୍ଜନ ପ୍ରଶାସନ ହିଁ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏହାସହ ଏହି ଅନୁମତିକୁ ଯେଭଳି ଭବିଷ୍ୟତରେ ଉଦାହରଣ ଭାବେ ନ ନିଆଯାଏ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ପୂର୍ବରୁ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ସୂଚନାଥାଉ କି, ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି କରାଯାଇ ପାରିବନି ବୋଲି ନିଷ୍ପତ୍ତି ଶୁଣାଇଥିଲେ ରାଜ୍ୟ ସରକାର। ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏକାଧିକ ପୂଜା କମିଟି।

You might also like