ନିୟମ ନ ମାନି ୫୦ରୁ ଅଧିକ ଲୋକ ଏକାଠି ହୋଇଥିଲେ, ମୋଟା ଅଙ୍କର ତଣ୍ଡ ଗଣିଲେ..

ସମ୍ବଳପୁର: କୋଭିଡ ନିୟମ ଉଲଂଘନ କରି ୧୦ ହଜାର ଟଙ୍କାର ତଣ୍ଡ ଗଣିଲେ କନ୍ୟାର ପିତା-ମାତା । ଖୋଦ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସ କରିଥିଲେ ଚଢ଼ାଉ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମୁଦିପଡ଼ାରେ। ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ ଲୋକଙ୍କୁ ଡାକିଥିଲେ। ଆଉ ଏକାଠି ହୋଇଥିଲେ।

ଏହି ଖବର ସ୍ଥାନୀୟ ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ଖୋଦ ଜିଲ୍ଲାପାଳ, ପୋଲିସ ଫୋର୍ସ ଧରି ଉକ୍ତ ବିବାହ ଉତ୍ସବରେ ଚଢ଼ାଉ କରିଥିଲେ। ବିବାହ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ପ୍ରମାଣ ପାଇଥିଲେ। ପରେ ପ୍ରଶାସନ ପକ୍ଷରୁ କନ୍ୟାର ପିତା-ମାତାଙ୍କଠାରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ଖୋଦ ସମ୍ବଲପୁର ଏସପି ଟୁଇଟ କରି ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ବୈଦୁତିକ ଗଣମାଧ୍ୟମଠାରୁ ଆରମ୍ଭ କରି ଖବରକାଗଜରେ ମଧ୍ୟ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦ୍ୱାରା ସଚେତନତା ବାର୍ତ୍ତା  ଦିଆଯାଉଛି। କୋଭିଡ ନିୟମକୁ ପାଳନ କରନ୍ତୁ। ସଚେତନ ହୁଅନ୍ତୁ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ। ଏମିତିକି ଖଦ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ନିୟମ ମାନିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। ହେଲେ କିଛି ଅମାନିଆଙ୍କ ଏଭଳି କାର୍ଯ୍ୟ ପାଇଁ ସାରା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

ସେପଟେ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ବୁଧବାର ରାଜ୍ୟରେ ୮ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା ଏହା ସୂଚାଉଛି। ତେବେ ସଂକ୍ରମିତଙ୍କୁ ଚିକିତ୍ସା ଲାଗି ରାଜ୍ୟ ପ୍ରସ୍ତୁତ ରହିବା ସହ କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି ଯେଉଁଠି ଆବଶ୍ୟକ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସେ କହିଛନ୍ତି।

ସେହିଭଳି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପରେ ଏବେ ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ସେ ଆହୁରି କହିଛନ୍ତି ଭୁବନେଶ୍ୱରରେ କଟକଣା ଅଧିକ ରହିବା ଦରକାର, ନଚେତ୍ ସ୍ଥିତି ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ମଧ୍ୟ ସେ କହିଛନ୍ତି। ତେଣୁ ଏଥିପ୍ରତି ସରକାର ବିଶେଷ ଗୁରୁତ୍ୱ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

You might also like