ଲକ୍‌ଡାଉନ୍‌ରେ ବଳବତ୍ତର ରହିବ ଗାଡି ସିଜ୍! ହାଇକୋର୍ଟଙ୍କ ରାୟରେ ସଂଶୋଧନ

ଭୁବନେଶ୍ୱର: କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ରାୟରେ ସଂଶୋଧନ। ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡ଼ିବା ଲାଗି ଗତକାଲି କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସଂଶୋଧନ କରାଯାଇଛି। କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି।

ତିନିଥର ଯାଏ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯିବ। ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକଡାଉନ ନିର୍ଦ୍ଦେଶ ଲାଗୁ ହେବ। ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ ବୋଲି ସ୍ପଷ୍ଟ କରାଯାଇଛି।

ତେବେ କୋଭିଡ-୧୯ ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଡ଼ି ନେଇକି ଯାଉଥିଲେ, ସେମାନଙ୍କ ପରିଚୟପତ୍ର ଦେଖି ଛାଡ଼ିଦେବାକୁ କୁହାଯାଇଛି।

ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ୍ ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ୍ ଡି. କେ. ମହାନ୍ତି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି।

ଏନେଇ ଶୁଣାଣିବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଏବଂ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରାଯାଇଥିଲା।

You might also like