ଆଲୋଚନା ବେଳେ କକ୍ଷତ୍ୟାଗ କଲେ ବିରୋଧୀ

ଭୁବନେଶ୍ୱର: ଧାନ କିଣା ସମସ୍ୟା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ କଲେ କକ୍ଷତ୍ୟାଗ। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ଚାଷୀଙ୍କ ସବୁ ଧାନ କିଣିବାକୁ ଦୁଇ ଦଳ ଦାବି କରିଥିଲେ। ଏନେଇ ବିରୋଧୀଙ୍କ ଦାବି ନୋଟିସ କରାଯାଇଛି ଓ ବିଚାର କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ଏହାସହ ଟୋକନ ବ୍ୟବସ୍ଥାରେ ଯାହା କିଛି ଅସୁବିଧା ହୋଇଥିଲେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପ୍ରକୃତ ଚାଷୀଙ୍କ ଧାନ କିଣାଯିବ ହେଲେ ଯେଉଁମାନେ ବେପାରୀଙ୍କ ଧାନ ଆଣି ବିକ୍ରି କରିବାକୁ ଚାହୁଁଛନ୍ତି, ତାକୁ କିଣାଯିବ ନାହିଁ ବୋଲି ରଣେନ୍ଦ୍ର କହିଥିଲେ।

ଟୋକନ ପାଇ ମାସେ ଭିତରେ ଧାନ ନ ବିକିଲେ ଜମି ଚାଷୀ ଭାବେ ଗଣାହେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ପେଟ୍ରୋଲ, ଡିଜେଲ ଦର ଓ କୃଷି ଆଇନକୁ ନେଇ ସେ ଓଲଟି ବିରୋଧୀ ବିଜେପିକୁ ଘେରିଥିବା ଦେଖିବାକୁ ମିଳିଥିଲା। ଧାନ କିଣାକୁ ନେଇ ଏଫ୍ସିଆଇ ଉପରେ ଦୋଷ ଲଦିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି। ତେବେ ରାଜ୍ୟ ସରକାର ଏ କିଳା କାହିଁକି ଆଣିଲେ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ଗୃହରେ ଆଲୋଚନା ବେଳେ ଧାନ କିଣା ନେଇ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ଧାନ କିଣା ଲାଗି ଟୋକନ ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ କରାଯାଉ। ନହେଲେ ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥା ନିୟନ୍ତ୍ରଣ ନ କରି ସୋସାଇଟି ମାଧ୍ୟମରେ ଟୋକନ ଦେବାକୁ ଦଳ ଦାବି କରିଥିଲା।

ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, ଧାନକୁ ନେଇ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରୁଛନ୍ତି। ଯାହାଦ୍ୱାରା ସଠିକ ଭାବରେ ଚାଲିପାରୁନାହିଁ ଗୃହ।

ସେପଟେ ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର ।

ତେବେ ଆଉ କିଛି ସମୟ ପରେ ହିଁ ରାଜ୍ୟର ବଜେଟ୍‌ ଗୃହରେ ଉପସ୍ଥାପନ ହେବ।

You might also like