ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆଜି ପୁଣି ଘେରିଲେ ବିରୋଧୀ

ସରକାରଙ୍କୁ ବିରୋଧୀଙ୍କ ଟାର୍ଟେଟ୍‌

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟୟକୁ ନେଇ ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଭୁବନେଶ୍ୱରରେ ଏକୁଟିଆ କୁଆଡ଼େ ଯାଇହେବନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। କନ୍ଧମାଳ ଜଲେସପଟା ଆଶ୍ରମର ନୂଆ ମହନ୍ତଙ୍କୁ ହତ୍ୟା ଧମକ ଆସିଛି। ଯିଏ ଧମକ ଦେଇଛି ସେ ଧରା ହୋଇଛି। ହେଲେ କାହା ପ୍ରରୋଚନାରେ ଧମକ ଦେଲା, ତାହାର ତଦନ୍ତ ଦାବି କରିଛି ବିଜେପି।

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ସରକାର ଏଯାଏ ଧରିବାରେ ସକ୍ଷମ ହୋଇନାହାନ୍ତି। ସେହିପରି ନାଗାର୍ଜ୍ଜୁନ ବେଶ ଅବ୍ୟବସ୍ଥା ସଂପର୍କିତ ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନି ବୋଲି ପ୍ରଦୀପ୍ତ କହିଛନ୍ତି। ସେପଟେ ତୈଳ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। କଂଗ୍ରେସ ଶାସନ ଅମଳରେ ତୈଳ ଓ ଗ୍ୟାସ ଦର କମ୍ ଥିଲା। ମୋଦି ସରକାରରେ ବଢ଼ିଲା।

ମହାମାରୀ ବେଳେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲରେ ୧୩ ଟଙ୍କା ବଢ଼ାଇଛନ୍ତି ବୋଲି କଂଗ୍ରେସ କହିଛି। ସେହିପରି ଗ୍ୟାସ ଦର ୮୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିବା ବିଜେଡି ଏବେ କୁଆଡ଼େ ଗଲା ବୋଲି ମୁଲତବି ପ୍ରସ୍ତାବରେ ଆଲୋଚନାବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଛନ୍ତି? ଉତ୍ପାଦ ଶୁଳ୍କ, ରାଜ୍ୟ ସରକାର ଭାଟ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି।

ତେବେ ଗତକାଲି ମଣ୍ଡିକୁ ଗୃହରେ ତୁମ୍ବିତୋଫାନ କରିଥିଲେ ବିରୋଧୀ। ସରିବାକୁ ବସିଲାଣି ଖରିଫ ଋତୁ। ଅଥଚ ରାଜ୍ୟରେ ଧାନ ସଂଗ୍ରହରେ ଲାଗିରହିଥିବା ଘୋର ଅବ୍ୟବସ୍ଥାର ସମାଧାନ ହୋଇପାରୁନି। ଗୃହରେ ଆଲୋଚନା ପରେ ବାଟ ଫିଟିଯିବ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଆଉ କୌଣସି ପ୍ରତିବନ୍ଧକ ବାଟ ଓଗାଳିବନି। କିନ୍ତୁ ଚାଷୀଙ୍କ ଆନ୍ଦୋଳନ ଏବଂ ନାରାବାଜିରେ ଫାଟିପଡୁଛି ମଣ୍ଡିରୁ ମାର୍କେଟୟାର୍ଡ, ରାଜରାସ୍ତାରୁ ସରକାରୀ ଦପ୍ତର। ସବୁଠି ଲାଗିରହିଛି ସେହି ଟୋକନ୍ ଟେନ୍‌ସନ। ତେଣେ ଗୃହରେ ମଣ୍ଡି ଅବ୍ୟବସ୍ଥା ଏବଂ ଧାନ କିଣା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ, ସରକାରଙ୍କୁ ନିଶାନା କରି କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା। ତେବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନବାଣରେ ବିରୋଧୀ ଘେରୁଥିବା ଦେଖିବାକୁ ମିଳିଛି।

You might also like