ଖୋଲିଲା ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛର ନୂଆ ଗୁମର

ଭୁବନେଶ୍ୱର: ନିଇତି ଖୋଲୁଛି ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛର ନୂଆ ନୂଆ ଗୁମର। କରୋନା ସଂକ୍ରମଣ ଆରମ୍ଭବେଳେ ଯେଉଁ ଅତି ଜରୁରୀ ଏନ-୯୫ ମାସ୍କ କିଣିବାକୁ ବାହାର ରାଜ୍ୟର ସଂସ୍ଥାକୁ ଅର୍ଡର ଦେଇଥିଲେ, ସଂକ୍ରମଣ ଶୀର୍ଷରେ ପହଞ୍ଚିବାବେଳକୁ ରାତି ଅଧିଆ ଟେଣ୍ଡର ବାତିଲ୍ କରିଦେଲେ। ଯାହାକି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ଯାହାକୁ ମହାଦୁର୍ନୀତି କହି ବିରୋଧୀ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କରିଛି।

ଖାଲି ଟ୍ରିପଲ୍ ଲେୟାର ମାସ୍କ କି ପିପିଇ କିଣାରେ ନୁହେଁ, N-95 ମାସ୍କ କିଣାରେ ବି କେଳଙ୍କାରୀ ପାଇଁ ଫନ୍ଦି କରିଥିଲେ ରାଜ୍ୟ ସରକାର। ଯାହାର ଖୁଲାସା କରିଛି ଖୋଦ୍ ରାଜ୍ୟ ଔଷଧ ନିଗମର ଟେଣ୍ଡର ବାତିଲ୍ ନୋଟିସ୍। ଘଣ୍ଟାଚକଟା ପରେ ଅତି ତରବରିଆ ଭାବେ ପିପିଇ କିଟ୍ ଓ ଏନ-୯୫ ମାସ୍କ ଟେଣ୍ଡରକୁ କ୍ୟାନସଲ୍ କରିଛି ନିଗମ। ଜୁନ୍ ୮ତାରିଖର ଚିଠି ନଂ ୭୭୩୩ରେ ସ୍ପଷ୍ଟ ଭାବେ ପ୍ରଶାସନିକ କାରଣରୁ ଟେଣ୍ଡର ବାତିଲ୍ ହୋଇଥିବା ଦର୍ଶାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି କରୋନାର ଭୟଙ୍କର ସଂକ୍ରମଣ ସମୟରେ ହଠାତ୍ କାହିଁକି ଏ ଅତି ଜରୁରୀ ସାମଗ୍ରୀ କିଣା ଟେଣ୍ଡର ବାତିଲ୍ କଲେ ସରକାର? ଅଭିଯୋଗ ଅନୁଯାୟୀ, ପୂର୍ବରୁ ଆହ୍ୱାନ କରାଯାଇଥିବା ଟେଣ୍ଡରରେ ରାଜ୍ୟ ସରକାର ଏଭଳି କିଛି ସର୍ତ୍ତ ରଖିଥିଲେ, ଯାହାକୁ ଓଡ଼ିଶାର କୌଣସି ବିଡର ପୂରଣ କରିବା ସମ୍ଭବ ନଥିଲା।

ଯାହାମଧ୍ୟରେ ୫ ନମ୍ବର ଦ୍ୱିତୀୟ କ୍ଲଜ୍‌ରେ ସ୍ପଷ୍ଟ ଭାବେ ରହିଥିବା ସର୍ତ୍ତ ଅନୁସାରେ, ବର୍ଷକୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩ ବର୍ଷ ଯାଏଁ ଯେଉଁ ସଂସ୍ଥା ଏସବୁ ସାମଗ୍ରୀ ବିକ୍ରି କରିଥିବ ତାକୁ ହିଁ ଟେଣ୍ଡର ମିଳିବ।

ତେବେ କରୋନା ସଂକ୍ରମଣ ପୂର୍ବରୁ ଏସବୁ ସାମଗ୍ରୀର ଚାହିଦା ନଥିବାରୁ ଓଡ଼ିଶାର କୌଣସି ସଂସ୍ଥା କେମିତି ଏସର୍ତ୍ତ ପୂରଣ କରିଥାନ୍ତେ ? ତେଣୁ ଏହାର ଫାଇଦା ନେଇ ନିଜ କ୍ଷମତା ପ୍ରୟୋଗ କରି ଔଷଧ ନିଗମ ମନଇଚ୍ଛା ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର ଦେଇପାରିବ। ଯାହାର ସିଧାସଳଖ ଫାଇଦା ତାମିଲନାଡୁର ଏକ ସଂସ୍ଥାକୁ ମିଳିଛି ବୋଲି ଅଭିଯୋଗ ହୋଇଛି।

ସେପଟେ ମାସ୍କ କିଣା କେଳେଙ୍କାରୀକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାଦୁର୍ନୀତି ବୋଲି କହିଛନ୍ତି। ଅନ୍ୟ ରାଜ୍ୟମାନେ ଯେଉଁ ମାସ୍କକୁ ୧ ଟଙ୍କା ୩୪ ପଇସାରୁ ୮ଟଙ୍କା ୪୭ ପଇସାରେ କିଣିଛନ୍ତି, ଓଡ଼ିଶା ସରକାର ତାମିଲନାଡୁର ଏକ ସଂସ୍ଥାରୁ କେମିତି ୧୬ ଟଙ୍କା ଦାମ୍‌ରେ ୩୦ ଲକ୍ଷ ମାସ୍କ କିଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବିଜେପି କହିଛି, ମାସ୍କ କେଳେଙ୍କାରୀ ତଥ୍ୟ ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି।

ସେପଟେ କରୋନା କିଟ୍ କିଣା ମହାଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ଆଣି IAS ହେମନ୍ତ ଶର୍ମାଙ୍କ ନାଁରେ ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ ହେମନ୍ତ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

You might also like