ଲୋକାୟୁକ୍ତ ନିଯୁକ୍ତି ନେଇ ଚୁପ୍‌ ବସିଥିଲେ ସରକାର, କଣ୍ଟ ପୂରିବା ପୂର୍ବରୁ ତରବରିଆ ବୈଠକ

ଭୁବନେଶ୍ୱର: ଚାରା ଘୋଟାଲା, ସମବାୟ ସ୍କାମ୍, ଓମ୍ଫେଡ୍ ପଲିଥିନ୍ ଭଳି ଅନେକ ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜ୍ୟ। ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି। ଏସବୁର ନିରପେକ୍ଷ ତଦନ୍ତ ପାଇଁ  ଦାବି ହେଉଥିବା ବେଳେ ରାଜ୍ୟରେ କିନ୍ତୁ ଏଯାଏଁ ଲୋକାୟୁକ୍ତ ଗଠନ ହୋଇନାହାଁନ୍ତି।

୩ ମାସ ଭିତରେ ଲୋକୟୁକ୍ତ ଗଠନ କରିବା ପାଇଁ ଗତ ଜୁଲାଇ ୧୦ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସରକାର ଚୁପ୍‌ ବସିଥିଲେ। ଏବେ କୋର୍ଟ ଦେଇଥିବା ଡେଡ୍‌ଲାଇନ୍ ଅକ୍ଟୋବର୍ ୧୦ ତାରିଖ ପାଖଉଥିବା ଦେଖି, ତରବରିଆ ଭାବେ ଆସନ୍ତା ୬ରେ ସିଲେକସନ୍ କମିଟି ବୈଠକ ଡକାଯାଇଛି।

ତେବେ ଲୋକାୟୁକ୍ତ ଗଠନ ନେଇ ବିଳମ୍ବ ଯୋଗୁ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

ଅନ୍ୟପଟେ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିଲେକ୍ସନ୍‌ କମିଟି ବୈଠକ ବସିବ। ଯେଉଁଥିରେ ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତା ଓ ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଣେ ଜଜ୍ ସଦସ୍ୟ ଅଛନ୍ତି।

କମିଟିର ଅନ୍ୟ ଜଣେ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ। ଏହାପରେ ସିଲେକ୍ସନ କମିଟି, ଲୋକାୟୁକ୍ତ ନିଯୁକ୍ତି ପାଇଁ ୫ ଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିଶ କରିବେ। ଏହା ସମୟ ସାପେକ୍ଷ ହୋଇଥିବାରୁ ଲୋକୟୁକ୍ତ ଗଠନ ନେଇ ସରକାର କୋର୍ଟରେ ୩ ମାସ ସମୟ ମାଗି ଖସି ଯିବା ଚକ୍କରରେ ଥିବା ଜଣାପଡ଼ିଛି।

ଲୋକାୟୁକ୍ତ ଗଠନ ନେଇ ନେଇ ବିଧାନସଭାରେ ବିଲ୍ ପାରିତ ହେବାର ୪ ବର୍ଷ ୫ ମାସ ବିତିଗଲାଣି। ସୁପ୍ରିମକୋର୍ଟଙ୍କ ଛାଟ ପରେ ମଧ୍ୟ ସରକାର ତତ୍ପରତା ପ୍ରକାଶ କରୁନାହାନ୍ତି। ତେଣୁ ଲୋକାୟୁକ୍ତ ବାସ୍ତବରେ କେବେ ଗଠନ ହେବ, ତା ଏବେ ସନ୍ଦହେ ଘେରରେ ରହିଛି।

 

 

 

You might also like