ସାଙ୍ଘାତିକ ଭାବରେ ବଢୁଛି ରାଜ୍ୟର ଅପରାଧ ସଂଖ୍ୟା, ମାତ୍ର ଗୋଟିଏ ଦିନରେ ହେଉଛି ୮ ଦୁଷ୍କର୍ମ

ବଢୁଛି ଅପରାଧ

ଭୁବନେଶ୍ୱର: ଦିନକୁ ୮ ଦୁଷ୍କର୍ମ ହେଉଛି। ଆଉ ୪ ହତ୍ୟା ବି ହେଉଛି। ଏଭଳି ଆଖି ତରାଟିଲା ଭଳି ତଥ୍ୟ ଆଜି ଗୃହରେ ରଖିଛନ୍ତି ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବର୍ଷ ୨୦୨୦ରେ ଅଧିକାଂଶ ସମୟ ଲକ୍ଡାଉନ୍ ସତ୍ତ୍ୱେ ଏଭଳି ଉଦବେଗଜନ ହାରରେ ବଢ଼ିଛି ଅପରାଧ। ଏସବୁ ଭିତରେ ଲୁଟ୍, ଛିନ୍ତାଇ, ଚୋରି, ଡକାୟତି ବ୍ୟତିତ ସାଇବର୍ ଅପରାଧର ତଥ୍ୟ ବି ଚମକାଇଦେଲା ଭଳି ରହିଛି। ସାମଗ୍ରିକ ତଥ୍ୟକୁ ଦେଖିଲେ ଲାଗୁଛି ରାଜ୍ୟରେ ସତେ ଯେମିତି ହୁଗୁଳି ଗଲାଣି ଆଇନ ଶୃଙ୍ଖଳା ବ୍ୟବସ୍ଥା। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଷ

ମାହାଙ୍ଗାରେ ଗଡ଼ିଲା ଦୁଇ ଦୁଇ ଜଣ ବିଜେପି ନେତାଙ୍କ ମୁଣ୍ଡ। ନୟାଗଡ଼ରେ କୁନି ଝିଅ ପରୀକୁ ହତ୍ୟା ବି କରାଯାଇଛି। ଭୁବନେଶ୍ୱର IRV ଭିଲେଜ୍‌ରେ ଘରେ ପଶି ଲୁଟ୍ ସହ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁଁ ମୃତ୍ୟୁ ପରି ଖବର ରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଥିଲା। ଲକଡାଉନରେ ଲୋକେ ଘରେ ଥିଲାବେଳେ ସଂଘଟିତ ହୋଇଥିଲା ଏଭଳି ଏକାଧିକ ରକ୍ତରଂଜିତ ଅପରାଧ। ମହାମାରୀର ମହାବିପତ୍ତି ସତ୍ତ୍ୱେ ୨୦୨୦ରେ ରୋକାଯାଇପାରିନି ସଂଗୀନ ଅପରାଧର ଧାରାକୁ।

ତେବେ ଆଇନଶୃଙ୍ଖଳା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ସେ କହିଛନ୍ତି ଯେ, ଆଇନଶୃଙ୍ଖଳା ଆଜି ରାଜ୍ୟ ସରକାରଙ୍କ ହାତରେ ଆଉ ନାହିଁ। ଯେଉଁଥି ପାଇଁ ଶାନ୍ତିରେ ରହିପାରୁନାହାନ୍ତି ଲୋକେ….ସୁରକ୍ଷା ମଧ୍ୟ ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗୃହ ବିଭାଗ ଆଉ ସରକାରଙ୍କ ହାତରେ ନାହିଁ। ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସନ୍ତୋଷ କହିଛନ୍ତି।

ଆଉ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବିରୋଧୀଙ୍କ ପାଖରେ କୌଣସି ଇସ୍ୟୁ ନାହିଁ। ତେଣୁ ଏହାକୁ ଇସ୍ୟୁ କରୁଛନ୍ତି। ଯାହା କହିବା କଥା ଆଲୋଚନାକୁ ଆସି କୁହନ୍ତୁ ବୋଲି ଶ୍ରୀମତି ମଲ୍ଲିକ କହିଛନ୍ତି।

ଏସବୁ ଭିତରେ ଆଜି ବିଧାନସଭାରେ ଆଖି ତରାଟିଲା ଭଳି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ସେ କହିଛନ୍ତି, ୨୦୨୦ରେ ରାଜ୍ୟରେ ୨ ହଜାର ୯୮୪ଟି ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଛି। ଅର୍ଥାତ ପ୍ରତିଦିନ ୮ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୨୦୧୯ ଅପେକ୍ଷା ୨୦୨୦ରେ ମହିଳାଙ୍କ କ୍ଷେତ୍ରରେ ରାଜ୍ୟରେ ଅପରାଧ ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସଦ୍ୟ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟ ବି ଦର୍ଶାଇଥିଲା ମହିଳା ନିର୍ଯାତନା କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୨ ନମ୍ବର ରହିଛି। ଏଭଳି ସ୍ଥିତିରେ ଆଜି ବିଧାନସଭାରେ ଗୃହମନ୍ତ୍ରୀଙ୍କ ଉତ୍ତରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ତାସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବି କରିଛନ୍ତି।

ଖାଲି ଦୁଷ୍କର୍ମ ନୁହେଁ, ଗତବର୍ଷ ୧୪ଶହ ୭୦ଟି ହତ୍ୟା ମାମଲା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅର୍ଥାତ ଦୈନିକ ୪ ଜଣଙ୍କୁ ହତ୍ୟା କରୁଛନ୍ତି ଅପରାଧୀ। ସେପଟେ ପୂର୍ବବର୍ଷ ଅପେକ୍ଷା ସାଇବର ଅପରାଧ ଆହୁରି ବଢ଼ିଥିବା ଜଣାପଡ଼ିଛି। ୨୦୧୯ରେ ୧୪ଶହ ୭୫ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୪୫୬ଟି ମାମଲା ବଢ଼ି ସଂଖ୍ୟା ପହଞ୍ଚିଛି ୧୯୩୧ରେ। ରାଜଧାନୀକୁ ବି ସାଇବର ଲୁଟେରା ଛାଡ଼ିନାହାଁନ୍ତି। ଡିସିପିଙ୍କ ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀ-ଫେବ୍ରୁୟାରୀରେ ୧ କୋଟିରୁ ଅଧିକ ଟଙ୍କାର ଚୁନ ଲଗାଇଛନ୍ତି ସାଇବର୍ ଅପରାଧୀ। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୁଇ ମାସ ମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଟଙ୍କା ଗୋଲ୍ କରିଦେଇଛନ୍ତି ଦୁର୍ବୃତ୍ତ। ଏହାବ୍ୟତୀତ ୧୭ଟି ଏଟିଏମ୍ ଲୁଟ୍ ଏବଂ ୫ଟି ବ୍ୟାଙ୍କ ମଧ୍ୟ ଲୁଟ୍ ହୋଇଥିବା ନେଇ ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।

ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ ଏବଂ ଆଲୋକ ମହାନ୍ତିଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

ଆହୁରି ପଢନ୍ତୁ :  ଦୁର୍ନୀତି କରି ଚାକିରିରୁ ତଡ଼ା ଖାଇଲେ ସରକାରୀ ବାବୁ

You might also like