ସରକାରୀ ସ୍କୁଲରେ ପଢ଼ିଲେ ସଂରକ୍ଷଣ ପ୍ରସ୍ତାବକୁ ନେଇ ସରକାରଙ୍କୁ ଏମିତି ପ୍ରଶ୍ନ କଲେ ବିରୋଧୀ

ଭୁବନେଶ୍ୱର: ସରକାରୀ ସ୍କୁଲ୍‌ରୁ ଚମକ ଫେରାଇବା ଲକ୍ଷ୍ୟ ନେଇ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ବ୍ୟବସ୍ଥା ଆସନ୍ତା ବର୍ଷରୁ ଲାଗୁ ହେବ। ସରକାରଙ୍କ ଏହି ନିଷ୍ପତ୍ତି ନେଇ ବିଜେଡି ସେଲିବ୍ରେସନ କରୁଥିବାବେଳେ ସ୍କୁଲର ଭିତ୍ତିଭୂମି ନସୁଧାରି ଏଭଳି ନିଷ୍ପତ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ତେବେ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ସମସ୍ୟାରେ ଜୁଝୁଥିବା ସରକାରୀ ସ୍କୁଲ୍‌ରେ ପଢ଼ି କିଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପ୍ରତିଯୋଗିତା କରିପାରିବେ ଛାତ୍ରଛାତ୍ରୀ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍।

ସରକାରୀ ସ୍କୁଲ୍‌ରେ ପଢ଼ିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ମିଳିବ  ବୋଲି ଗତକାଲି ଏହି ସଂକଳ୍ପ କ୍ୟାବିନେଟ୍‌ରେ ପାରିତ କରିଥିଲେ ସରକାର। ଏବେ ଏହାକୁ ନେଇ ଜୋର୍ ଧରିଛି ରାଜନୀତି। ପଛୁଆ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ ଲାଗି ସଂରକ୍ଷଣ ଲାଗୁ ନକରି ଏଭଳି ନୂଆ ବର୍ଗ କାହିଁକି ସୃଷ୍ଟି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିରୋଧୀ ଦଳ। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀର କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।

ସରକାରୀ ସ୍କୁଲ୍‌ରେ ଭିତ୍ତିଭୂମି କି ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଘରୋଇ ସ୍କୁଲ୍ ମୁହାଁ ହେଉଛନ୍ତି। ସେଠାରେ କିପରି ମୌଳିକ ସମସ୍ୟା ଦୂର ହେବ ତା ଚିନ୍ତା ନକରି ଏଭଳି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏକ ଉଦ୍ଭଟ ଚିନ୍ତା ବୋଲି ବିଜେପି କହିଛି। ସେହିପରି  ଓବିସି ଲାଗି ୨୭ ପ୍ରତିଶତ ଓ ଆର୍ଥିକ ଅନଗ୍ରସର ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ସରକାର ଏଯାଏଁ ଏସବୁ ପାଠ୍ୟକ୍ରମରେ ଲାଗୁ କରିନାହାଁନ୍ତି। ଏଥିରେ ସ୍ପଷ୍ଟତା ଆଣନ୍ତୁ ବୋଲି ଦଳ ଦାବି କରିଛି। 

ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିିଂହାର କହିଛନ୍ତି “ବହି ଠିକ୍‌ ସମୟରେ ମିଳୁ ନାହିଁ, ୟୁନିଫର୍ମ ଠିକ୍ ସମୟରେ ମିଳୁ ନାହିଁ। ତେଣୁ ଏତେ ଅବ୍ୟବସ୍ଥା ଭିତରେ ସରକାରୀ ସ୍କୁଲ୍‌କୁ ଆପଣ କ’ଣ ପାଇଁ ରଖିଛନ୍ତି, ଆଉ ରଖିବା ସତ୍ତ୍ୱେ ଏବେ ସରକାରୀ ସ୍କୁଲ୍‌କୁ ଏକ ରିଜର୍ଭେସନ କ୍ୟାଟେଗୋରୀ ଡିମାଣ୍ଡ କରିବାର କ’ଣ ଯଥାର୍ଥତା ରହିଛି କ’ଣ ଯୁକ୍ତି ରହିଛି ତା ପଛରେ ଏତିକି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।”

 

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହାକୁ ସମାଲୋଚନା କରିଛି। ଏନେଇ କଂଗ୍ରେସର ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ” ସରକାରୀ ସ୍କୁଲ୍‌ରେ କୌଣସି ଭିତ୍ତିଭୂମି ନାହିଁ। ଧୂଆଁ ବାଣ ଛାଡ଼, ରାଜ୍ୟ ସରକାରଙ୍କର ମେଡିକାଲ ସିଟ୍‌ କିମ୍ବା ଇଞ୍ଜିନୟରିଂ ସିଟ୍‌ ଦେବାର ପାୱାର୍‌ ନାହିଁ।” ତେଣୁ ଏମିତି ଲୋକଙ୍କୁ ଭୂଆଁ ବୁଲେଇବା ଉଚିତ୍‌ ନୁହେଁ ବୋଇ ସୁର ରାଉତ୍‌ରାୟ କହିଛନ୍ତି।

ସେପଟେ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ଲାଗି ବିଜେଡି ଉତ୍ସବ ମନାଉଥିବାବେଳେ ବିଜେପି ଭୟଭୀତ ହୋଇ ଏଭଳି ମନ୍ତବ୍ୟ ରଖୁଥିବା ଶାସକ ଦଳ କହିଛି। ଏନେଇ ବିଜେଡି ମୁଖପାତ୍ର ଏଲିନା ଦାଶ କହିଛନ୍ତି “ଆଗାମି ଦିନରେ ସାରା ଭାରତରେ ଏମିତିକି ବିଜେପି ଶାସିତ ରାଜ୍ୟମାନଙ୍କର ବି ଏହି ନିଷ୍ପତ୍ତିକୁ ଗ୍ରହଣ କରାଯିବ। ଏବଂ ଏହାକୁ କାର୍ଯ୍ୟକାରୀ କରିବେ। ତେବେ ବିଜେପି ଭୟଭୀତ ହୋଇଛି। ତେଣୁ ଏ ଲୋକପ୍ରିୟତାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି।”

ଏବେ ଆସନ୍ତୁ ଜାଣିବା ରାଜ୍ୟରେ ସ୍କୁଲ୍‌ଗୁଡ଼ିକର ଅବସ୍ଥା

ରାଜ୍ୟରେ ପ୍ରାୟ ୪୮ ହଜାର ସ୍କୁଲ ରହିଛି। ଏଥିରୁ ପ୍ରାୟ ୯ ହଜାରଟି ହେଉଛି ହାଇସ୍କୁଲ୍। ପ୍ରାଥମିକ ସ୍କୁଲ୍‌ରେ ୨୧ ହଜାର ଓ ହାଇସ୍କୁଲ୍‌ରେ ୧୪ ହଜାର ଶିକ୍ଷକ ପଦବୀ ଖାଲି ପଡିଛି। ଗ୍ରାମାଞ୍ଚଳ ଓ ଉପାନ୍ତରେ ଏଭଳି ଭିତ୍ତିଭୂମି ନଥିବାରୁ ବର୍ତ୍ତମାନ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂଖ୍ୟା କମୁଛି। ଏକଥା ଖୋଦ୍ ସରକାର ବି ମାନିଛନ୍ତି। ଏଥିଲାଗି ସରକାର ଭିତ୍ତିଭୂମିର ବିକାଶ କରିବା ନିହାତି ଜରୁରୀ, ନଚେତ୍ ଏ ସଂରକ୍ଷଣର କୌଣସି ମୂଲ୍ୟ ରହିବନି ସେହିପରି। ଏହାକୁ ନେଇ ଆଇନ୍ ଗତ ଚାଲେଞ୍ଜ ଆସିଲେ ସରକାର ଅକଳରେ ବି ପଡ଼ିପାରନ୍ତି ବୋଲି ଶିକ୍ଷାବିତ ମତ ଦେଇଛନ୍ତି।

ଏନେଇ ମ଼େଡିକାଲ ଶିକ୍ଷା ବିଶେଷଜ୍ଞ ଡାକ୍ତର ବସନ୍ତ ପତି କହିଛନ୍ତି ଯେ ନ୍ୟାୟାଳୟରେ ହୁଏତ ଏ ସମ୍ପର୍କରେ ଆଲୋଚନା ହୋଇପାରେ। କାରଣ ଘରୋଇ ହେଉ କିମ୍ବା ସରକାରୀ ବିଦ୍ୟାଳୟ ଉଭୟେ ସମାନ। କିନ୍ତୁ ଯଦି ସରକାରୀ ସ୍କୁଲ୍ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଏ ତେବେ ଆଇନଗତ ଚ୍ୟାଲେଞ୍ଜ ହୋଇପାରେ ବୋଲି ବସନ୍ତ ପତି କହିଛନ୍ତି।

ସେହିପରି ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ପ୍ରଥମେ ଶିକ୍ଷକ ଓ ଭିତ୍ତିଭୂମି ବଢାନ୍ତୁ, ନହେଲେ ପିଲା କ୍ୱାଲିଫାଏ କରିପାରିବେ ନାହିଁ, ତେଣୁ ଶିଟ୍‌ ରିଜର୍ଭ ହୋଇ ପୁଣି ଡିରଜର୍ଭ ହୋଇଯିବ। ଏଥିରେ କିଛି ଲାଭ ମିଳିବନି କେବେଳ ଲୋକ ଦେଖାଣିଆ ହେବ ବୋଲି କହିଛନ୍ତି ଓପେକା ନିର୍ଦ୍ଦେଶକ।

ଏପଟେ ସରକାରଙ୍କର ଏପରି ନିଷ୍ପତ୍ତିରେ ଚିନ୍ତାରେ ପଡ଼ିଲେଣି ଘରୋଇ ସ୍କୁଲ୍‌ରେ ପଢୁଥିବା ପିଲା। ଏପରି ହେବା ଦ୍ୱାରା ଘରୋଇ ସ୍କୁଲ୍‌ ପିଲାଙ୍କ‌ ଚାନ୍ସ କମିଯିବ। କମ୍ପିଟିସନ ନ ହୋଇ ସଂରକ୍ଷଣ ମିଳୁଥିବାରୁ ପଢ଼ାରେ ଆଗ୍ରହ ଥିବା ଘରୋଇ ସ୍କୁଲ୍‌ ଛାତ୍ରୀଛାତ୍ରୀ ଅସୁବିଧାରେ ସମ୍ମୁଖୀନ ହେବେ। ସଂରକ୍ଷଣ ଯୋଗୁ ସେମାନେ ଆଡ୍‌ମିଶନ ପାଇବେନି। ସେମାନେ କ୍ୟାରିୟର ଖରାପ ହେବାର ଆଶଙ୍କା ରହିଛି। ଘରୋଇ ସ୍କୁଲ୍‌ ପିଲାଙ୍କ ପ୍ରତି ନ୍ୟାୟ ହେବନି। ଫଳରେ ପଢାପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ରହିନପାରେ ବୋଲି ଘରୋଇ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଭିତ୍ତିଭୂମି ନଥିବାରୁ ଘରୋଇ ସ୍କୁଲ୍‌ରେ ଭଲ ଶିକ୍ଷା ଆହରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ’ଣ ଭୁଲ ? ଏହାଦ୍ୱାରା ପିଲାଙ୍କ ଭିତରେ ଅସଙ୍ଗତି ସୃଷ୍ଟି ହେବନି ତ?
ଭିତ୍ତିଭୂମି ନଥିବା ସରକାରୀ ସ୍କୁଲ୍‌ରେ ପଢ଼ି ସର୍ବଭାରତୀୟ ପରୀକ୍ଷା ନିଟ୍ ଓ ଜେଇଇରେ ସଫଳତା କିଭଳି ମିଳିବ?
ତେବେସରକାର କେବେ କମିଟି ଗଠନ କରି ସଂରକ୍ଷଣର ରୂପରେଖ ପ୍ରସ୍ତୁତ କରୁଛନ୍ତି ତାକୁ ହିଁ ଅପେକ୍ଷା ।

 

You might also like