ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍‌ରେ ନେଗେଟିଭ୍‌; ଘେରିଲେ ବିରୋଧୀ

ଭୁବନେଶ୍ୱର: ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍‌ରେ କୋଭିଡ୍ ଟେଷ୍ଟ କଲେ ଆସୁଛି ନେଗେଟିଭ୍। ପୁଣି କେଉଁଠି ଜଣଙ୍କ ନାଁରେ, ଅନ୍ୟ ଜଣଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ନିଆଯିବା ଭଳି ସାଙ୍ଘାତିକ ଅଭିଯୋଗ। କୋଭିଡ୍ ରିପୋର୍ଟରେ ଏଭଳି କିମ୍ଭୁତ କିମାକାର ତ୍ରୁଟିକୁ ନେଇ ସୋସିଆଲ୍ ମିଡିଆରେ ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇ ଚାଲିଥିଲା ବେଳେ ଆଜି ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ହେଲେ ବିଜେଡି କହିଛି ଯାହା ହେଉଛି ଆଇସିଏମ୍ଆର୍ ଗାଇଡ୍ ଲାଇନ୍ ଅନୁସାରେ ହେଉଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ଦୁଇଟି ଭିଡିଓକୁ ନେଇ ଏବେ ସରକାରଙ୍କ କରୋନା ମ୍ୟାନେଜ୍‌ମେଣ୍ଟ ଉପରେ ସନ୍ଦେହ ଉପୁଜିଛି।

ଅଭିଯୋଗ ଅନୁଯାୟୀ ଚିନ୍ମୟଙ୍କର ଜୁଲାଇ ୯ରେ ମ୍ୟୁନିସିପାଲଟି ହସ୍ପିଟାଲରେ କୋଭିଡ୍ ଟେଷ୍ଟ ହୋଇଥିଲା। ୧୪ ଜୁଲାଇରେ ରିପୋର୍ଟ ପଜିଟିଭ୍ ଆସିବା ନେଇ କଲ୍ ଆସିଲା। ସନ୍ଦେହରେ ସେହିଦିନ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଟେଷ୍ଟ କଲାରୁ ପର ଦିନ ରିପୋର୍ଟ ନେଗେଟିଭ୍ ଆସିଲା।

ମଧୁସ୍ମିତାଙ୍କ କ୍ଷେତ୍ରରେ ବି ସମାନ ଅଭିଯୋଗ, ସରକାରୀ ଟେଷ୍ଟରୁ ପଜିଟିଭ୍, ଘରୋଇ ହସ୍ପିଟାଲ୍ ଟେଷ୍ଟରୁ ନେଗେଟିଭ୍। ବଡ଼ କଥା ହେଉଛି ଘରୋଇ ହସ୍ପିଟାଲ୍ ରିପୋର୍ଟ ଆଧାରରେ କୁଆଡ଼େ ଉଭୟଙ୍କୁ କୋଭିଡ୍ ହସ୍ପିଟାଲ୍ ଯିବାକୁ ପଡ଼ିନି, ହେଲେ ଚିନ୍ମୟଙ୍କ ପ୍ରଶ୍ନ ସରକାରୀ ରିପୋର୍ଟ ପଜିଟିଭ୍‌ରୁ ସେ ଯେଉଁ ମାନସିକ ଯନ୍ତ୍ରଣା ଭୋଗିଲେ ସେଥିପାଇଁ ଦାୟୀ କିଏ?

ଗଞ୍ଜାମ ସାନଖେମୁଣ୍ଡି ରାମଚନ୍ଦ୍ରପୁର ଗାଁର ଏ ବ୍ୟକ୍ତି ନୀଳାଞ୍ଚଳ ପ୍ରଧାନଙ୍କ ଅଭିଯୋଗ ବି ଚକିତ କଲା ଭଳି। ବ୍ୟବସ୍ଥାର ଭୁଲ୍ ପାଇଁ ଜଣଙ୍କ ବଦଳରେ ଅନ୍ୟ ଜଣେ ଗିରଫ ହେବା ଭଳି ଦଶା। ରାମଚନ୍ଦ୍ରପୁର ଗାଁର ନୀଳାଞ୍ଚଳଙ୍କୁ କୁଆଡ଼େ ନୀତିନ ପ୍ରଧାନଙ୍କ ନାଁରେ କରୋନା ନଥାଇ ବି କୋଭିଡ୍ ହସ୍ପିଟାଲ୍‌ରେ ରହିବାକୁ ପଡ଼ିଲା।

ନୀଳାଞ୍ଚଳଙ୍କ ମୋବାଇଲ୍‌କୁ ନୀତିନଙ୍କ ସାମ୍ପୁଲ କଲେକ୍ସନ୍‌ରେ ମେସେଜ୍ ଆସିଲା। ସେ ନୀତିନ ନୁହଁନ୍ତି ବୋଲି ଯେତେ ମନାକଲେ ବି ତାଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଗଲା ପୁଣି କିଛି କୋଭିଡ୍ ଟ୍ରିଟ୍‌ମେଣ୍ଟ ନକରି ୧୦ ଦିନ ପରେ ଡିସ୍‌ଚାର୍ଜ କରାଗଲା। ତା ବି ତାଙ୍କ ପ୍ରକୃତ ନାଁ ନୀଳାଞ୍ଚଳ ନାମରେ।

ତେବେ କୋଭିଡ ପରିଚାଳନା ଏବଂ ଟେଷ୍ଟିଂରେ ଏଭଳି କିମ୍ଭୁତ କିମାକାର ତ୍ରୁଟିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି ଯାହା ହେଉଛି, ଆଇସିଏମ୍ଆର୍ ଗାଇଡ୍ ଲାଇନ୍ ଅନୁସାରେ ହେଉଛି।

ସାରା ରାଜ୍ୟରେ ମହାମାରୀ କୋଭିଡ୍ ଏବେ ଦ୍ରୁତ ଗତିରେ ତାର କାୟା ମେଲାଇ ଚାଲିଥିବା ବେଳେ ଟେଷ୍ଟ ରିପୋର୍ଟ ଓ ଚିକିତ୍ସାରେ ଏଭଳି ଦ୍ୱନ୍ଦ୍ୱ ବ୍ୟବସ୍ଥା ପ୍ରତି ବିଶ୍ୱାସକୁ ସଂକଟରେ ପକାଇଛି।

You might also like