ଟଣାଓଟରା ଭିତରେ ଅଟକିଛି ମଦବିକ୍ରି; ବିରୋଧୀଙ୍କ ପ୍ରଶ୍ନ, ବାଗଚୀଙ୍କ କଥାକୁ ଭୁଲିଗଲେ କି ସରକାର?

ଭୁବନେଶ୍ୱର: ଅନଲାଇନ୍ ମଦ ବିକ୍ରିରେ କେଁ। ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି କଟକ ଓ ଖୋର୍ଦ୍ଧା ମଦ ବ୍ୟବସାୟୀ ସଂଘ। ଅନଲାଇନ୍ ସହ ଅଫଲାଇନ୍ ମଦ ବିକ୍ରି ପାଇଁ କଟକ ସଂଘ ଦାବି କରିଥିବା ବେଳେ ଖୋର୍ଦ୍ଧା ସଂଘ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦାବି କରିଛି। ଆଜିଠାରୁ ମଦ ଅନଲାଇନରେ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି ସଂଘ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହା ସମ୍ଭବ ହୋଇପାରିନି।

ସେପଟେ କରୋନା କହର ଭିତରେ ମଦ ବିକ୍ରି ନିଷ୍ପତ୍ତିକୁ ନେଇ ତେଜିଛି ରାଜନୀତି। ନିଶା ଦ୍ରବ୍ୟ ଖାଇଲେ ଶରୀରର ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଦିନେ ଏହି କଥାଟି କହିଥିଲେ ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। କିନ୍ତୁ ଓଡ଼ିଶାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହି କଥାକୁ କିପରି ଭୁଲିଗଲେ ସରକାର?

୨ ମାସର ବ୍ୟବଧାନ ପରେ ଅନଲାଇନରେ ମଦ ବିକିବାକୁ ନିଷ୍ପତ୍ତି ନେଲେ ସରକାର। ହେଲେ କେଁ ପୁରାଇଲେ ମଦ ବ୍ୟବସାୟୀ ସଂଘ। ଚାଲିଲା ଘନ ଘନ ବୈଠକ। ଅନଲାଇନ୍ ସହ ଅଫଲାଇନ୍ ଅର୍ଥାତ କାଉଣ୍ଟରରେ ବି ମଦ ବିକିବାକୁ ଅନୁମତି ଦେବାକୁ ଦାବି କରିଛି କଟକ ମଦ ବ୍ୟବସାୟୀ ସଂଘ। କେବଳ ଅନଲାଇନରେ ମଦ ବିକ୍ରି ହେଲେ ସରକାର ଦେଇଥିବା ମାସିକିଆ ଟାର୍ଗେଟ ପୂରଣ ହୋଇପାରିବନି ଓ ବ୍ୟବସାୟୀ ପ୍ରଭୃତ କ୍ଷତି ସହିବେ ବୋଲି ଯୁକ୍ତି ବାଢିଛି କଟକ ସଂଘ। ଏପଟେ ଖୋର୍ଦ୍ଧା ସଂଘର ବାଦି ସରକାର ସେମାନଙ୍କୁ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦିଅନ୍ତୁ। ସ୍ୱିଗି ଓ ଜମାଟୋ ଭଳି ସଂସ୍ଥାଙ୍କ ମାଧ୍ୟମରେ ବିକ୍ରିକୁ ବି ବିରୋଧ କରିଛି ସଂଘ।

ଅନଲାଇନରେ ମଦ ବିକ୍ରି ପାଇଁ ସରକାର ନିଜ ୱେବସାଇଟରେ ୧୦୭୮ଟି ଅଫ୍-ସପ୍ ଓ ୪୭୧ ଅନ୍-ସପ୍ ଦୋକାନୀଙ୍କ ମୋବାଇଲ ନମ୍ବର ଓ ଇମେଲ୍ ଆଇଡି ସହ ସଂପୂର୍ଣ ତଥ୍ୟ ଦେଇଛନ୍ତି। ଆଉ ଏ ହେଉଛି ଦୋକାନ ଖୋଲିବା ପୂର୍ବରୁ ଅନଲାଇନରେ ବିକ୍ରି ହେଲେ ବି କାଉଣ୍ଟର ଆଗରେ ବ୍ୟାରିକେଡ୍ କରିଛନ୍ତି କିଛି ବଡ ବଡ ଦୋକାନୀ। କେବଳ ଅନଲାଇନ ନୁହେଁ, ଦୋକାନୀଙ୍କ ମୋବାଇଲ ନମ୍ବରରେ କଲ୍, ଏସ୍ଏମ୍ଏସ୍ ଓ ହ୍ବାଟସ୍ଆପରେ ମେସେଜ ଦେଇ ଗ୍ରାହକ ମଦ ବୁକିଂ କରିପାରିବେ ଦୋକାନୀ। ନିଜ ଡେଲିଭରି ବୟ ମାଧ୍ୟମରେ ଗ୍ରାହକଙ୍କ ଘରେ ମଦ ପହଞ୍ଚାଇବାର ବ୍ୟବସ୍ଥା କରିବେ। ଏହା ସହ ସ୍ୱିଗି ଓ ଜମୋଟୋ ଭଳି ସଂସ୍ଥା ମାଧ୍ୟମରେ ବି କିଛି ନିର୍ଦ୍ଦିଷ୍ଟ ସହରରେ ଅର୍ଡର କରି ମଦ ମଗାଇପାରିବେ।

ଗ୍ରାହକ ଦୋକାନ ଆଗରେ ମୋବାଇଲ ନମ୍ବର, ହ୍ୱାଟସ୍ଆପ୍ ଓ ଡିଜିଟାଲ ପେମେଣ୍ଟ ତଥ୍ୟ ଥିବା ପୋଷ୍ଟର ଲଗାଇବାକୁ କୁହାଯାଇଥିଲେ ବି ଅନେକ ଦୋକାନୀ ଆଜି ସଂଧ୍ୟା ସୁଦ୍ଧା ଏହା କରିନାହାଁନ୍ତି। ତେବେ  କରୋନା ରାଜ୍ୟରେ କାୟା ମେଲାଇ ଚାଲିଥିବା ବେଳେ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପୁରୁଣା ମନ୍ତବ୍ୟକୁ ମନେ ପକାଇ ମଦବିକ୍ରି ପାଇଁ ସରକାରଙ୍କ ଉଦ୍ୟମକୁ ସମାଲୋଚନା କିରଛନ୍ତି ବିରୋଧୀ ଦଳ ନେତା କଂଗ୍ରେସ ବି ଭିନ୍ନ ଢଙ୍ଗରେ କଟାକ୍ଷ କରିଛି।

ଲକଡାଉନ୍ ଯୋଗୁ ମାର୍ଚ୍ଚରୁ ମାଡ଼ ଖାଇଛି ମଦରୁ ମିଳୁଥିବା ରାଜସ୍ୱ। ଫେବ୍ରୁଆରୀରେ ୩୫୦ କୋଟି ବିକ୍ରି ହୋଇଥିବାବେଳେ ମାର୍ଚ୍ଚ ୨୨ ଭିତରେ ବିକ୍ରି ହୋଇଥିଲା ୩୩୯ କୋଟି। ରାଜସ୍ୱ ସଂଗ୍ରହର ସିଂହ ଭାଗ ମଦବିକ୍ରିରୁ ଆସୁଥିବାରୁ ସରକାର ଲକଡାଉନ୍ ସତ୍ତ୍ୱେ ବି ଅନଲାଇନରେ ମଦ ବିକ୍ରି ନିଷ୍ପତ୍ତି ନେଇଛନ୍ତି।

You might also like