ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ

ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର : ପାଖେଇ ଅାସୁଛି ନିର୍ବାଚନ। ଅାଟାକିଂ ମୁଡ୍‌ରେ ବିରୋଧୀ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଲୋକାୟୁକ୍ତ ଅାଇନ କାର୍ଯ୍ୟକାରିତାରେ ଶିଥିଳତା, ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହା ଅାହୁରି ବଢ଼ିବା, ଅାମ ଗାଁ ଅାମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି, ଶିକ୍ଷକ ଓ ଡାକ୍ତରଙ୍କ ସମସ୍ୟା ଅାଦିକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ।

ତାହା ସହ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ବି ବିରୋଧ କରିବ ଦଳ। ଅାସନ୍ତାକାଲି ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହେବ ରଣନୀତି। ବିଜେପି ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା। ପିସି କାରବାର ବୃଦ୍ଧି, ରାଜରାସ୍ତାରେ ଶିକ୍ଷକ, ଚାଷୀ ଅାତ୍ମହତ୍ୟା, ଚାଷୀଙ୍କୁ ବୀମା ଟଙ୍କା ନମିଳିବା, ଅାମ ଗାଁ ଅାମ ବିକାଶକୁ ଦଳୀୟ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ସମ୍ବିଧାନର ଉଲ୍ଲଂଘନ, କେନ୍ଦ୍ରୀୟ ଯୋଜନା ହଡପ, ପ୍ରସୂତୀଙ୍କୁ ଖଟିଅାରେ ବୁହାଯିବା ଅାଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବ ବିଜେପି।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ବି ପ୍ରସ୍ତୁତ। ମହାନଦୀ ଓ ପୋଲାଭରମ୍ ବିବାଦ, କେନ୍ଦ୍ରୀୟ ଅନୁଦାନ ହ୍ରାସ, ତୈଳ ଦର ବୃଦ୍ଧି, କେନ୍ଦ୍ରୀୟ ଅବହେଳା ଅାଦି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯୋଜନା କରିଛି ବିଜେଡି।

ଅାସନ୍ତାକାଲି ବିଧାୟକ ଦଳ ବୈଠକରେ ସ୍ଥିର ହେବ ରଣନୀତି । ସେପଟେ ବହୁ ଚର୍ଚ୍ଚିତ ବିଧାନ ପରିଷଦ ଗଠନ ସଂପର୍କିତ ସଙ୍କଳ୍ପକୁ ପାରିତ କରିବା ଶାସକ ଦଳ ଫୋକସ୍‌ରେ ରହିବ। ରାଜ୍ୟର ସ୍ୱାର୍ଥ ପାଇଁ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାର ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି।

ସେପ୍ଟେମ୍ବର ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧୀବେଶନ। ଏଥିରେ ୧୧ଟି କାର୍ଯ୍ୟଦିବସ ରହିଥିବାବେଳେ ୬ଟି ବିଲ୍ ଅାସିବାର ସମ୍ଭାବନା ରହିଛି। ତେବେ ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅାସିବ ଶୋକ ପ୍ରସ୍ତାବ । ସେଇ କାରଣରୁ ଅତିରିକ୍ତ ବଜେଟ୍ ୪ ତାରିଖ ବଦଳରେ ୫ରେ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି।

You might also like