୫ଶହ କୋଟି ପ୍ୟାକେଜକୁ ନେଇ ରାଜନୀତି; ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଶା ମାଗିଥିଲା କେତେ?

ଭୁବନେଶ୍ୱର: ରାଜ୍ୟକୁ ଅମ୍ପନ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ଶହ କୋଟି ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ସମୀକ୍ଷା କଲାବେଳେ କେହି ବି ଜଣେ ମନ୍ତ୍ରୀ ନଥିଲେ। ଉଭୟ ବାତ୍ୟା ଏବଂ କରୋନା ମୁକାବିଲା ନେଇ ମନ୍ତ୍ରୀଙ୍କୁ ସାମିଲ କରାଯାଉନାହିଁ।

ସେହିପରି ଫନି ସମୟରେ କେନ୍ଦ୍ର ଦେଇଥିବା ସହାୟତା ରାଶି ଏବେ ବି ସାଧାରଣ ଲୋକଙ୍କୁ ମିଳିନି। ତେବେ କ୍ଷୟକ୍ଷତି ନେଇ ଓଡ଼ିଶା କେତେ ମାଗିଥିଲା ତାହା ପ୍ରକାଶ କରାଯାଉ। ଏହାପରେ ୫ଶହ କୋଟି ଯଥେଷ୍ଟ କି ନୁହଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ନିରଂଜନ।

ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନଥିବାବେଳେ ବିଜେପି କହିଛି ମୋଦିଙ୍କ ଏହି ସହାୟତା ରାଶି ରାଜ୍ୟ ପାଇଁ ସହାୟ ହେବ। ଓଡ଼ିଶାର ସବୁ ବିପଦ ସମୟରେ ମୋଦି ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

You might also like